ମହାଦୀପ

 

 

 

 

 

 

 

 

 

 

 

ମହାଦୀପ

ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ

 

ସୂଚୀପତ୍ର

 

୧.

ମହାଦୀପ

୨.

ଏ ଦେହକୁ ଭଲପାଏ ମୁହିଁ

୩.

ଦୁଇଟି କଳା ଆଖି

୪.

ବନ୍ଦୀର ବିଳାପ

୫.

ଶିଶିର-ହାସ୍ୟ

୬.

ଜୀବନ ଦୋଳି

ପଥ କାହିଁ ?

୮.

ବର୍ଷା ଅଶ୍ରୁ

୯.

ବଂଶୀ ଧ୍ୱନି

୧୦.

ନୀରବ ଆହ୍ୱାନ

୧୧.

ଶରତ୍‍ ସନ୍ଧ୍ୟା

୧୨.

ପାପ

୧୩.

ଦେବଶିଶୁ

୧୪.

ସୃଜନ ବ୍ୟଥା

୧୫.

ଜୀବନ

୧୬.

ଏହି ଯେ ପାହାଡ଼

୧୭.

ରୂପ ଓ ବାଣୀ

୧୮.

ଭାରତ ଆସିବ ଫେରି

୧୯.

ଜୟପୁର ଘାଟି

୨୦.

ଶତାବ୍ଦୀ ସୈନିକ

୨୧.

ଜାଗ ଜାଗ ଗାନ୍ଧୀ

୨୨.

ରକ୍ତ ସ୍ରୋତ

୨୩.

ଶୂନ୍ୟ ଚିନ୍ତା

୨୪.

ଜାଗ୍ରତ ଆଘାତ

୨୫.

ତୁମେଟି ଚାଲିବା ଜାଣ

୨୬.

ଜଡ଼ ଦର୍ଶନ

୨୭.

ଅଗଣିତ ଆଗୁଆନ

୨୮.

ଆଶ୍ୱାସନା

୨୯.

ବିଶ୍ୱର ଆହ୍ୱାନ

୩୦.

ନିଜ ଭୁଲା

୩୧.

ଚାଷୀର ଭାଗ୍ୟ

☆☆☆

 

ମହାଦୀପ

 

ଯଉବନ ! ଯଉବନ ! କଣ୍ଠ ତଟେ

ଢାଳି ଦିଅ ଗୀତ

ଜୀବନ ମନ୍ଦିର ଚୂଳେ ଜଳିଉଠୁ

ମୋର ମହାଦୀପ

ଜଳିଉଠୁ ଗଗନର ଅଗଣିତ

ଜ୍ୟୋତି ରାଶି ତଳେ

ଅସୀମ ଆଶାର ରୂପେ ଶିଖା ତା’ର

ଖେଳୁ ଏ ବିଶ୍ୱରେ ।

ଜଳିଉଠୁ ଜଳେ ସ୍ଥଳେ ଉଜ୍ଜ୍ୱଳାଇ

ସକଳ ମେଦିନୀ

ତୀକ୍ଷ୍ଣ ତା’ର ରଶ୍ମି ଲାଗି ହସିଉଠୁ

ତିମିର ଯାମିନୀ

ବେଦନାର ଅମାବାସ୍ୟା ଆସେ ଘୋଟି

ନିବୁଡ଼ୁଁ ନିବିଡ଼

ଗରଜେ ଭୀଷଣ ନିଶା

ମରଣର କୁହାଟ ଗଭୀର ।

ଡାକି ଉଠେ ଶମଶାନେ

ପିଶାଚ ଶକୁନି କରି ରଡ଼ି

ମହାତମସାର କୋଳେ

ମୋର ମହାଦୀପ ଉଠେ ଜଳି ।

ଜୀବନ-ମନ୍ଦିର ମମ

ଅସୀମ ଆକାଶେ ଟେକି ଶିର

ବିଜୟ ନିଶାଣ ସମ

ସୁମହାନ ରହେ ଉଭା ଚିର ।

ମୁଖଶାଳା ପରେ ତା’ର

ଉଭା ହୋଇ କିଏ ଉଠେ ଡାକି

ଖେଳିଯାଏ ସେ ଶବଦ

ଦଶ ଦିଗପାଳେ କରି ସାକ୍ଷୀ ।

ଧରଣୀର ତନ୍ତ୍ରୀ ଥରେ

ତୃଣ ସମ ଦୋହଲେ ଅଚଳ !

ସେ ଶବଦେ ଉଠେ କମ୍ପି

ସକଳ ବିଶ୍ୱର କକ୍ଷସ୍ଥଳ ।

କହେ ଡାକି ସେ ଶବଦ ‘‘ଶୁଣ ଶୁଣ’’

ହେ ଜଗତବାସି !

‘‘ଜୀବନ ବିଜୟ ଦୀପ

ଅସୀମ ଆକାଶେ ଜଳେ ଭାସି ।

‘‘ଧରାର ତିମିର ତଳେ

ଚଳୁ ଜୀବନର ମହାରଥ

‘‘ଉଠ ବୀର ! ଏ ଆଲୋକ

ରଚିଦେଉ ତୋର ଛାୟାପଥ ।

‘‘ଅଖିଳ ଜୀବର ବଂଶ

ହେଉ ଧନ୍ୟ ସମୁଜ୍ଜ୍ୱଳ

‘‘ସତ୍ୟ ହେଉ ପୁଣ୍ୟ ହେଉ

ମହୀୟାନ ହେଉ ଚରାଚର !

‘‘ଭସ୍ମ ହେଉ ଜରା ମୃତ୍ୟୁ

ଅବସାଦ ତନ୍ଦ୍ରା ଗ୍ଳାନି ଭୟ

‘‘ଜାଗ ବୀର ! ଦେଖ ଚାହିଁ

ଜଳେ ଦୀପ ଅମର ଅକ୍ଷୟ ।

‘‘ନିଭି ନାହିଁ ହତାଶାର

ତପତ ବତାସ ଲାଗି ତହିଁ

‘‘ଦୀନତାର ଅଶ୍ରୁ କେତେ

ଅବିରାମ ପଡ଼ିଅଛି ବହି !

‘‘ଶ୍ରାବଣର କେତେ ଅମା

କାଟି ଆଜି ଜଳେ ମହାଦୀପ

‘‘ଜୀବନ-ତଇଳ ଢାଳି

ରଖ ତାକୁ ସଜାଗ ଜୀବିତ !

‘‘ଜଳିଉଠୁ ଦୀପ୍ତି ତା’ର ଢାଳି ଦେଇ

ଦୂରେ ବହୁ ଦୂରେ

ପ୍ରତି ପ୍ରତିବିମ୍ବ ତା’ର ଫୁଟୁ ବିଶ୍ୱ

ମାନସ-ମୁକୁରେ

‘‘ଆସ ବୀର ! ଧର ତୋଳି

ଆଶାର ଉଜ୍ଜ୍ୱଳ ମହାଦୀପ

‘‘ଜୀବନ-ପାବଚ୍ଛେ ତବ

ସାଜି ଦିଅ ସ୍ୱପନ-ସ୍ଫଟିକ ।

‘‘ହାତେ ତବ ନାହିଁ ବନ୍ଧୁ !

ପାରିବାକୁ ବୁଝି ଏଥି ତିଳେ

‘‘କିଏ ସ୍ୱପ୍ନ, ଜାଗରଣ

ସତ୍ୟ ମିଥ୍ୟା ଏ ଧରଣୀ-ନୀଡ଼େ

‘‘କିଏ ପଥ କିଏ ତୋର

ବିପଥ ନାହିଁଟି ଏଥି ଜଣା

‘‘ହୁଡ଼ି ନାହିଁ ଜୀବନରେ

କହ କିଏ ନୋହେ ବାଟବଣା ।

‘‘ଆଶାର ଆଲୋକେ ତେଣୁ

ଜୀବନର ମହାଦୀପ ଜାଳି

‘‘ସହଜ ସମ୍ମୁଖ ପଥେ

ପଦ ଦୁଇ ନିଅ ବେଗେ ଚାଳି ।

‘‘ଦୀପର ତଇଳ ଦେଖ

କ୍ଷଣେ କ୍ଷଣେ ଯାଉଅଛି ସରି

‘‘ଲାଗଇ କି ବୃକ୍ଷେ ଆଉ

ଥରେ ଯେଉଁ ପତ୍ର ପଡ଼େ ଝରି ?

‘‘ଭାଙ୍ଗି ବନ୍ଧ ନଦୀ ଯେବେ

ଭୀମ ବେଗେ ପ୍ଳାବଇ ଧରଣୀ

‘‘ଆସଇ କି ଫେରି ତାହା

ଖୋଜି ନିଜ ସାଗର ସରଣୀ ?

‘‘ବିଶ୍ୱପାରାବାର ତଳେ

ଲୁଚିଅଛି ଅସଂଖ୍ୟ ରତନ

‘‘ଉଦ୍ଧାରି ଆଣିବା ଆଶେ

ବେଳ ଥାଉଁ ହୁଅ ନିମଗନ ।

‘‘ଜାଗ ! ଜାଗ ! ଜୀବନର

ସହଜ ସରଳ ପଥ ଲୋଡ଼ି

‘‘ଜଟିଳ ଦୁଶ୍ଚିନ୍ତା ରାଜି ରହୁ ତବ

ପଛେ ଆଜି ପଡ଼ି ।

‘‘ଉଠ ହସି ପଥ ଯେବେ

ସୁଖର ପରଶମଣି ଲଭେ

‘‘ପ୍ରାଣଭାରା ହାସ୍ୟ ବନ୍ଧୁ

ଅତି ହିଁ ଦୁର୍ମୂଲ୍ୟ ସେ ଯେ ଭବେ !

‘‘ବେଦନାର ଅଶ୍ରୁକଣା

ଝରେ ଯେବେ ନୟନର କୋଣୁଁ

‘‘ହୃଦୟ ଶୀତଳ କରି

ଧରା ଧୂଳି ଝାଡ଼ିଦେଇ ମନୁଁ ।

‘‘ନିର୍ମଳ ସେ ପୂତ କଳେ

ଅନ୍ତର ବେଦନା ତୋର ଲିପ

‘‘ଜୀବନ-ମନ୍ଦିର ଚୂଳେ

ଜଳିଉଠୁ ଆଶା-ମହାଦୀପ !

‘‘ଅଖିଳ ଜୀବର ବଂଶ

ହେଉ ଧନ୍ୟ ହେଉ ସମୁଜ୍ଜ୍ୱଳ

‘‘ସତ୍ୟ ହେଉ ପୁଣ୍ୟ ହେଉ

ମହୀୟାନ ହେଉ ଚରାଚର !’’

☆☆☆

 

ଏ ଦେହକୁ ଭଲପାଏ ମୁହିଁ

 

ଖୁସି ହୁଏ ଦେଖି ଏ ଜଗତ

ଆକାଶ ସାଗର ଗିରି ଭୂଇଁ

ସକଳର କେନ୍ଦ୍ରରୂପେ କିନ୍ତୁ,

ଏ ଦେହକୁ ଭଲପାଏ ମୁହିଁ ।

ଏ ଦେହକୁ ଭଲପାଏ ମୁହିଁ

ଭଲ ତା’ର ପ୍ରତି ଅବୟବ

ସବୁ ମାୟା ଅଚିର ଭିତରେ

ସତ୍ୟ ସେ ଯେ କେବଳ ସମ୍ଭବ ।

ଧନ ମାନ ଯଶ ଦେଖେଁ କେତେ

ସବୁ ମୂଳେ ପ୍ରଥମ କୀରତି

ନର ନାରୀ ରୂପ ଲେଖେଁ ଯେତେ

ତା’ ତହୁଁ ସେ ଆଦିମ ପୀରତି ।

ନଦୀ ବନ ଆକାଶର ଶୋଭା

ମାନବର ଶତ କାରୁକର୍ମ

ଚର୍ମର ଲାଳସା ଲାଗି ସବୁ

ଏହି ଚର୍ମ ଏହି ଚାରୁ ଚର୍ମ !

ଏ ଦେହକୁ ବେଢ଼ି ନାହିଁ ଖାଲି

ବେଢ଼ିଛି ସେ ଚଉଦ ଭୁବନ

ଠୁଳ ଯହିଁ ସବୁ ଅନୁଭୂତି

ଚୁମ୍ବନ ପରଶ ଆଲିଙ୍ଗନ ।

ଏ ଦେହକୁ ରଖିବାକୁ ଧରି

ଲୋଡ଼ା ଯାହା ସେ ମୋର ଧରମ

ତାହା ବିନେ ଅଛି କେଉଁ ଆତ୍ମା

ଆଉ କେଉଁ ଦେବତା ପରମ ?

ଦେହ ପାଇଁ କରୁଁ ଆମେ ଯାଗ

ଦୁନିଆର ଦୁର୍ଦ୍ଦମ ଆହବେ

ନିଜ ପାଇଁ କରୁଁ ଯଥା ତ୍ୟାଗ

ଅପରର ନାମ ଦେଇ ଲବେ ।

ହେ ଶିଳପୀ ହେ କବି ଧାର୍ମିକ

ଦେଖ ପରା ସବୁ ସୁଖ ବ୍ୟଥା

ଦେହ ଛାଡ଼ି କି ଅଛି ଜଗତେ

ସତ କହ, ରଖି ବାଜେ କଥା !

କହ କହ ଆଘାତ ପରଶ

ପାଇଅଛ ଯେତେ ଯହିଁ ତୁମେ

ମାଟିର ଏ ଦେହ ବିନେ ଭଲା

ମିଳେ ତାହା କେଉଁ ସ୍ୱର୍ଗଭୂମେ !

ପୁଲକ ବେପଥୁ ଆଦି ଯେତେ

ସୃଷ୍ଟି କଲା ଶିଳ୍ପ ସାହିତ୍ୟର

ନୁହଇ କି ଏ ଦେହର ଗୁଣ

ଧର୍ମ, କର୍ମ, ଆହେ ବିଜ୍ଞ ନର !

ପୂଜା ପର୍ବ ଶଉଚ ବିଚାର

ବାଛ ସବୁ ଯେହୁ ଗଣି ଗଣି

ଆଚାର ନିୟମ ନୀତି ଯେତେ

କାହା ପାଇଁ କହ ସନାତନି ?

ଅତୀତର ଧର୍ମ ଅଭିଯାନ

ମନ୍ଦିରେ ଯା ଆଜି ପରକାଶ

ମାନବ ଦେହରେ କୀର୍ତ୍ତିଗାଥା

ନୁହେ କି ସେ ଦେହ ଇତିହାସ ?

ଏ ଦେହର ପୂଜା ପାଇଁ ଦେଖ

ଦୁନିଆର ନବ ନବ ରୂପ

ଆକାଶ ସାଗର କୋଳେ କେତେ

ବିଜ୍ଞାନର ଜଳେ ଦୀପ ଧୂପ !

ତାକୁ ଛାଡ଼ି କି ରହେ ଭୁବନେ

କହିବ କି ସେହି ଦେହ ଛୁଇଁ

ନାହିଁ ନାହିଁ ନ ପାରିବ, ତେଣୁ

ଏ ଦେହକୁ ଭଲ ଭଲ ପାଏ ମୁହିଁ !

☆☆☆

 

ଦୁଇଟି କଳା ଆଖି

 

ନ ପଡ଼େ ମନେ ଆଜି ଦେହର ଶୋଭା

ନାସାର ନିଃଶ୍ୱାସ ଅଧର-ଜବା

କଟିର ଚାରୁ ଗତି ଭୂରୁର ଛାୟା

କପଟହୀନ କଥା ବେଣୀର ମାୟା

କରଇ ସୁକୋମଳ ପରଶ

ଜୀବନ କଲା ଯେବେ ସରସ

ସେ ଦିନ କଥା ଆଜି ପାସୋର କାହିଁ ହେଲା

ସକଳ କାଳ ଯେବେ କାଟିଲି କରି ହେଳା ?

ନିଭିଚି ସବୁ ମନୁଁ ରହିଚି ଯାହା ଲାଖି

ଦୁଇଟି ଆଖି ଖାଲି ଦୁଇଟି କଳା ଆଖି !

ନ ଥାଏ ଶିଖି ଭାଷା ଅଧର ବେନି

କହିବା ପାଇଁ କଥା ମନକୁ ଘେନି ।

କହିବା ପାଇଁ ମୋର ବାସନା ଦୁଃଖ

ଦହିଲା ଦେହ ସିନା ମଣିଲି ସୁଖ

ସୁଖରେ ମିଶି କେତେ ବେଦନା

ମଧୁରତର କଲା ସାଧନା !

ସତ୍ୟ ଥିଲା ଯେତେ ଜୀବନ ଅନୁଭୂତି

ନାହିଁଛି ଲେଶ ତା’ର ରହିଛି ଯାହା ସ୍ମୃତି

ନାହିଁଛି ରୂପ ଆଜି ରହିଛି ରସ ବାକି

ଦୁଇଟି ଆଖି ଖାଲି ଦୁଇଟି କଳା ଆଖି !

ଯେ ଥିଲା ଅତି ସତ ନିକଟତମ

କେସନ ତାକୁ ଆଜି କହିବି ଭ୍ରମ

ଜୀବନ ହୋଇ ଦିନେ ଥିଲାଟି ଯାହା ।

କେସନ ବୋଲିବି ସେ ମରଣ-ମାୟା

ଦିନେ ଯେ ପୁଲକର ରୁଧିର

କଲା ଏ ଦେହମୟ ଅଧୀର,

ଲୁଚାଇଅଛି ତାହା ବୟସ ଆବରଣ

ନୁହଇ ମିଛ ତେବେ ନୁହେଁ ସେ ଅକାରଣ

ସେ ଲାଗିସ୍ମୃତି ତା’ର ରଖିଛି ଆଜି ଯାକି

ଦୁଇଟି ଆଖି ଖାଲି ଦୁଇଟି କଳା ଆଖି !

ସେ ଆଖି କାଳିମାର ଉପମା ନାହିଁ

ପ୍ରତୟ ବ୍ୟଥା ସମ ରହେ ସେ ଚାହିଁ

ତନୁର ତନ୍ମୟେ ସକଳ ନାଶି

ଅସୀମ ତମସାରେ ଉଠଇ ଭାସି

ଜୀବନେ ଯେତେ ମୋର କାଳିମା

ସହଜେ ଡେଇଁ ଯାଏ ତା’ ସୀମା

ସେ ଲାଗି ବେଦନାରୁ ବଳି ସେ ପ୍ରିୟ ଅତି

ଅସୀମ ତମସାରେ ଆସଇ ମୋର କତି

ନିବିଡ଼ତର କରି ମରମେ ଯାଏ ଡାକି

ଦୁଇଟି ଆଖି ସେ ତ ଦୁଇଟି କଳା ଆଖି !

ଜୀବନ କାଳିମା ସେ ଦେହର ବାହ

ଅନୀତି ପାପ ମମ ପୀରତି ଦାୟ

କି ପାଇଁ ଲାଜ ଭୟ କି ପାଇଁ ଘୃଣା ?

ଦେଇଛି ଦାନ ସେ ତ ନ କରି ଊଣା ।

ଦେଇଛି ସୁଖ ରାଶି ସଜାଡ଼ି

ଦୁଃଖର ଲୁହ କେତେ ଅଜାଡ଼ି

ବ୍ୟଥାର ଉହାଡ଼େ ସେ ଗଭୀର ଆଶା ମମ

ଶ୍ରାବଣ ଘନ ତଳେ ପୁନିଅଁ ଶଶି ସମ

ଶ୍ରାବଣ ପୁନିଅଁରେ ବଢ଼ାଇ ଦେଲା ରାଖି

ଦୁଇଟି ଆଖି ଖାଲି ଦୁଇଟି କଳା ଆଖି ।

ଅଛି ସେ କେଉଁ ଦେଶେ ନୁହଇ ଜାଣି

ବିରଚି ମାୟାମୟ ରୂପର ଠାଣି ।

ବିଶ୍ୱ ମାନସରେ ବିକାର ସୃଜି

କି ସୁରା ଢାଳିଦିଏ ନୁହଇ ବୁଝି

ପାତ୍ର ପୂରି ମୋର ଉଚ୍ଛୁଳେ

ଗାତ୍ର ଜଳିଉଠେ ଆକୁଳେ

କଣ୍ଠେ ବଢ଼େ ତୃଷା ଶିର ମୋ ଯାଏ ତାତି

ତପତ ନୁହେ ଆଶା ବଥାଏ ବେଶି ଛାତି

ଶୁଷ୍କ ଏ ରସନା ସୁରାର ରସ ଚାଖି

ଦୁଇଟି ଆଖି ତାହା ଦୁଇଟି କଳା ଆଖି !

ସେ ପଛେ ହେଉ ମୋର ଛଳନା ଛାୟା

କେବଳ ନୟନର ମୋହନ ମାୟା

କେବଳ ଧମନୀର ଚପଳ ଗତି

ଯୁକତିହୀନ ଏକ ଭାଷାର ଯତି

ସେ ପଛେ ହେଉ ମୋହ ସ୍ୱପନ

ଅତିହିଁ ଆପଣାର ଆପଣ

ସେ ଯଉବନ-ସୁରା ଝରୁ ଏ ଦେହ ମନେ

ତାହାରି ରଙ୍ଗିମା ଉଠୁ ଏ ଆଖି କୋଣେ

ଜୀବନ ସୁରା ଢାଳୁ ପୀରତି-ରୂପା ସାଜି

ଦୁଇଟି ଆଖି ଖାଲି ଦୁଇଟି କଳା ଆଖି ।

☆☆☆

 

ବନ୍ଦୀର ବିଳାପ

 

ରୋଧିଦିଅ ରୋଧିଦିଅ ଏ କାରାଦୁଆର,

ଘୋଟିଆସୁ ଭଇରବ ଘନ ଅନ୍ଧକାର,

ଏ ଆଲୋକ ଏ ଆକାଶ

ପରାଣେ ଦିଏ ପରାସ,

ସୁଦୂର ସ୍ମୃତିର ଆଣେ ବିରହ ଝଙ୍କାର,

ଲଗାଏ ମରମେ ମମ ମହା ହାହାକାର ।

 

ସବୁ ଅରଗଳ ଆଜି କରିଦିଅ ବନ୍ଦ,

ଏକାକୀ ଏ କକ୍ଷେ ମୁହିଁ ରହିଥିବି ଅନ୍ଧ

ଏକା ଘୋର ଅନ୍ଧକାରେ

ପଖାଳେଁ ଲୋତକ ଧାରେ

ସବୁ ମୋର ସକରୁଣ ଆଶା ନିରାନନ୍ଦ

ଲୁଚାଇବି ହୃଦତଳେ ବେଦନାର ଛନ୍ଦ ।

 

ସବୁ ସ୍ମୃତି ସବୁ ସୁଖ ଭାବନାର ଢେଉ

ଦିନେ ଏ ଅନ୍ତର ଦେଶେ ବାଜିଥିଲା ଯେହୁ

ବଦ୍ଧ ଏ ଦୁଆରେ ଆଜି

ଫେରିଯାଉ ବାଜି ବାଜି,

ଏ ତମିସ୍ର କୋଣୁଁ ମୋର ସମ୍ବାଦ ନ ଦେଉ

ସେ ଦିନ ଅନ୍ତର ଦେଶେ ବାଜିଥିଲା ଯେହୁ ।

 

କାଟି ବିଶ୍ୱର ସକଳ ନିଗଡ଼ ବନ୍ଧନ

ଗତ ଆଶା ପୀରତିର ମଧୁ ନିବନ୍ଧନ

ସକଳ ସ୍ନେହ ମମତା

ମରମ ନିଭୃତ କଥା,

କରିବି ଏ କୋଣେ ତା’ର ସମାଧି ସାଧନ,

ସକଳ ମଧୁର ସ୍ମୃତି ପ୍ରୀତି ଆରାଧନ ।

 

ମୋର ପ୍ରେୟସୀର ସେହି ବିଦାୟ ଚାହାଣି

କୋମଳ ମିନତିଭରା ସେ ମଧୁର ବାଣୀ

ଅଭିମାନେ ଛଳ ଛଳ

ନୟନୁଁ ତପତ ଜଳ

ବୁହାଇଲା ସେ ଦିନ ଯେ ମୋ ହୃଦୟରାଣୀ,

ଭୁଲିଯାଏଁ ଏଥି ସବୁ ଅତୀତ କାହାଣୀ ।

 

ଯେ ଦେଶେ ଭ୍ରମଇ ମୁହିଁ ଯେତେ ପରସଙ୍ଗେ

ସ୍ମୃତି ତା’ର ଛାୟା ସମ ଚଳଇ ମୋ ସଙ୍ଗେ

ସେ ଆଖି ନିରେଖେ ମୋରେ,

ନିଶିଦିନ ସଞ୍ଜ ଭୋରେ,

ସେ ବାହୁବନ୍ଧନ ମୋର ବେଢ଼ିଅଛି ଅଙ୍ଗେ

ସ୍ମୃତି ତା’ର ଛାୟା ସମ ଚଳଇ ମୋ ସଙ୍ଗେ ।

 

ଅଳପ ଦିନକୁ ଯେଣୁ ଆସିଥିଲି କହି

ବସିଥିବ ମୋ କଣ୍ଟର ଅପେକ୍ଷାରେ ରହି

ନୁଆଁଇ ମୁଖ ମଳିନ

ଗଣୁଥିବ ନିଶି ଦିନ

କି ବାରତା ଏ ପବନ ବହିନେବ ତହିଁ

ଜୀବନ ଦୋସର ଚିର ମୋର ପ୍ରାଣସହୀ ।

 

ଶିଶୁ କଳକଣ୍ଠେ ଭରା ମୋ ଦୀନ କୁଟୀର

ମୋ ବିଚ୍ଛେଦେ ଭଜିଥିବ ବିଷାଦ ଗଭୀର,

ଦୟା ସ୍ନେହର ଆଦର

ଦୁଃଖିନୀ ଜନନୀ ମୋର

ମୋ ଲାଗି କି ହେଉଥିବ କାତର ଅଧୀର,

ତୋଷିବ ତାହାକୁ ଏହି ଶୀତର ସମୀର ।

 

ସେ ବାରତା ନ ଆସୁ ଏ ବିଜନ ପ୍ରବାସେ,

ସେ ସ୍ମୃତି ନ ଭାସୁ ଆଜି ଆଲୋକ ଆକାଶେ,

ଆଣିଛି ଯେ ସ୍ମୃତି ଧରି

ଯାଉ ସବୁ ଏଥି ମରି

ନିଭୃତ ଏ ଶୂନ୍ୟ କୋଣେ ତମସ ତରାସେ

ଆଲୋକର ରଶ୍ମି ଉଠୁ ପୁଣି ନବ ହାସେ ।

 

ମୁକତି ବନ୍ଧନ ଦୁଃଖ ସୁଖ ଯେତେ ହାୟ

ଆସେ ଯାଏ ନିତି ସେ ଯେ ଦିବା ରାତ୍ରି ପ୍ରାୟ

ସମୟର ସ୍ରୋତ ସମ

ଜୀବନର ଶିଖା ମମ

ସବୁରି ଉପରେ ଜାଳି ତଡ଼ିବ ଅନ୍ୟାୟ

ଆରମ୍ଭିବି ଜୀବନର ନବୀନ ଅଧ୍ୟାୟ ।

☆☆☆

 

ଶିଶିର-ହାସ୍ୟ

 

ମାଳତୀର ଆଖି ଓଦା

ଅଶ୍ରୁର ଶିଶିରେ

ଆଜି ପ୍ରିୟ ଏ ଭାଦର ନିଶିରେ ।

ଅତୀତ ମୋ ଯଉବନ

ଆଣିଅଛି ନିମନ୍ତ୍ରଣ

କେତକୀ ସୁବାସେ ଦଶ ଦିଶିରେ

ଆଜି ପ୍ରିୟ ଏ ଭାଦର ନିଶିରେ !

ସୁଦୂରର ପ୍ରିୟା ମୋର

ଡାକେ ପରା ତୁହାଇ

ଅନ୍ତର ଜଳ ତା’ର ବୁହାଇ

ନୟନେ ଶିଶିର କଣା

କରିଦିଏ ପଥବଣା

ବସିଛି ସୁଦୂରେ ମଥା ନୁଆଁଇ

ଅନ୍ତର ଜଳ ତା’ର ବୁହାଇ !

ନୟନ-ଶିଶିର ତା’ର

ଲାଗେ ତିନି ଭୁବନେ

ଲାଗିଅଛି ରିକ୍ତ ମୋ ଜୀବନେ !

ଲାଗିଅଛି ଫୁଲେ ଫୁଲେ

ଆକାଶ ଧରଣୀ ତୁଲେ

ତରୁ-ଲତା-ଗିରି-ନୀଳ ବସନେ

ଲାଗିଅଛି ରିକ୍ତ ମୋ ଜୀବନେ !

ପରଶିଛି ପଥେ ପଥେ

ହରଷାଇ ଘାସରେ

ପରାଚୀର ପରଥମ ହାସରେ !

ତାରକାଖଚିତ ନଭେ

ତାହାରି ପରଶ ଦ୍ରବେ

ପଞ୍ଚମୀ ଜୋଛନାର ପ୍ରାସରେ

ପରଶିଛି ହରଷାଇ ଘାସରେ !

ସିକ୍ତ ଅଧର ମମ

ସିକ୍ତ ମୋ ଲପନ

ସିକ୍ତ ଏ ଦେହ ମନ ଜୀବନ !

ଅନ୍ତରେ ଅନ୍ତରେ

ସେ ପରଶ ସଞ୍ଚରେ

ପୂରିଉଠେ ଜାଗରଣ ସପନ

ସିକ୍ତ ଏ ଦେହ ମନ ଜୀବନ !

କମନୀୟ କମଳର

ସୁକୋମଳ ବୁକୁରେ

ଝଡ଼ିପଡ଼େ ନୀଳଜଳ-ମୁକୁରେ !

କାଶିଫୁଲେ ହସିହାସି

ଝରାଇ ଶେଫାଳିରାଶି

ଦୂର ବନ-ସୁଚିକଣ-ଚିକୁରେ

ଢଳିପଡ଼େ ନୀଳଜଳ-ମୁକୁରେ ।

ପ୍ରତି ଲୋମକୂପ ଆଜି

ଥରିଉଠେ ପୁଲକେ

ଏ ପରଶ ଦେହେ ମୋର ଦେଲ କେ ?

ଦିବସର ଆଗମନା

ରଜନୀରେ ଦେଲେ ଭଣି

ସୁଶୀତଳ ଜୋଛନାର ଝଲକେ

ଏ ପରଶ ଦେହେ ମୋର ଦେଲ କେ ?

ଆକାଶର ଶଶି ତାରା

ହସିଉଠେ ସହସା

ଫୁଲେ ଫୁଲେ ହାସ୍ୟର ବରଷା

ଧବଳିତ ଧରା ତଳେ

ହାସର ଜୁଆର ଚଳେ

ସଜଳ ପରଶ ଲଭି ସରସା

ଫୁଲେ ଫୁଲେ ହାସ୍ୟର ବରଷା

ରସ ମୋ ହାସ ତଥା

ଅଶ୍ରୁରେ ସଜଳ

ମନର କାଳିମା ତରୁ ଉଜଳ

ସବୁ ହାସ ପରେ ମୋର

କରୁଣାର ଝରେ ଲୋର

ସବୁ ସୁଖ ହୁଏ ମୋର କୋମଳ

ସବୁ ହାସ ଅଶ୍ରୁରେ ସକଳ !

☆☆☆

 

ଜୀବନ ଦୋଳି

 

ଚତୁର ମୁକୁଳ ବାସେ ଆଗମନୀ ଆସିଲା

ଆସିଲା ସେ ପଥେ ଘାଟେ ପବନେ

ପୁଲକାଇ ଉଲସାଇ ଚରାଚର ବିଶ୍ୱ

ଆସିଲା ମୋ ଜରାଗତ ଜୀବନେ

ଧରଣୀର ଧୂଳିରାଶି ମହକିଲା ସହସା

ଶୋଭେ ଦିଶେ କୁସୁମିତ ବସନେ ।

ରଙ୍ଗର ଢେଉ ନାଚେ ବିଲେ ବାଡ଼େ ବିଚରି

ଗନ୍ଧର ଢେଉ ତହିଁ ଉଠଇ

ମଳୟର ନିର୍ଝର ଫେରି ଆସେ ମରତେ

ସ୍ୱର୍ଗର ପାରିଜାତ ଫୁଟଇ

ଫେରିଆସେ ଯଉବନ ଉଦ୍ଦାମ ଗତିରେ

ବନ୍ଧନରାଶି ଆଜି ତୁଟଇ ।

ଦୂର ଦେଶୁଁ ପରବାସୀ ଆସେ ଫେରି ହରଷେ

ଲେଉଟଇ ପିକ ପୁଣି ଆବାସେ

ପ୍ରିୟ ମୋର ଡାକେ ନାହିଁ ଶୂନ୍ୟ ଏ ଦୁଆରେ

ମୃଦୁ ହାସେ ଉଭା ହୋଇ ଅବା ସେ !

କେଉଁ ଦେଶେ ଲୁଚି ରହେ ସନ୍ଧାନ ନାହିଁ ଯେ

ଦିନ ଯାଏ ଅନ୍ତର ପରାୟେ

ମଧୂମାସ ପରଶରେ ବଢ଼େ ମମ ପରାସ

ମୁହୁର୍ମୁହୁଃ ନିଶ୍ୱାସ ଛାଡ଼ଇଁ

ବାସିଫୁଲ ସମ କେତେ ଝଡ଼ି ପଡ଼େ ବାସନା

ଚାହିଁ ଚାହିଁ ଆଖିପତା ପୀଡ଼ଇ

ସଙ୍ଗୀତ ଆସି କେତେ ରୋଧେ ପୁଣି କଣ୍ଠ

ସଙ୍କୋଚେ ମନପ୍ରାଣ ବ୍ରୀଡ଼ଇ ।

କେତେ ମଧୁ ମିଳନର ଦେଖିଲଇଁ ସ୍ୱପନ

କେତେ ଚୁତ ମଞ୍ଜରୀ ତୋଳିଲି

ବିଚ୍ଛେଦ ଧାରେ ଯେତେ ବହିଯାଏ ରୁଧୀର

ଅନ୍ତର ତଳେ ତାହା ବୋଳିଲି

ବିରହର ଦୋଳି ଚଢ଼ି ମିଳନର ମଳୟେ

କେବଳ ଜୀବନଯାକ ଦୋଳିଲି ।

☆☆☆

 

ପଥ କାହିଁ ?

(ସଙ୍ଗୀତ)

 

ହେ ସାରଥି ଆଜି ଚଉପାଶେ ଏ କି ବ୍ୟୁହ

ନ ଚଳେ ତୁରଗ ନ ପାରଇ ରଥ ବାହି

ଯେଉଁ ଦେଶେ ମୁଖ ଫେରାଉ ଶୁଭଇ ବାଣୀ—

ପଥ କାହିଁ ? ପଥ କାହିଁ ?

ଅଚଳ ପ୍ରାଚୀର ଆକାଶେ ଟେକିଛି ଶିର

ସକଳ ଦୁଆର ରୁଦ୍ଧ ହେଲାରେ ବୀର ।

ଶୂନ୍ୟ ନୋହିଛି ତୂଣୀରୁ ତୋହର ତୀର

ନିଭି ନାହିଁ ଆଶା ବିଶ୍ୱ ବିଜୟ ପାଇଁ

ପଥ କାହିଁ ? ପଥ କାହିଁ ?

ହେ ଗାୟକ ତୋର ମୁଖରିତ ମୂରଛନା

ନୀରବିଲା ସବୁ ଅନ୍ତର ଅରଚନା

ଯେ ଗୀତ ରଚିଲୁ ଆରେ ଚିର ଆନମନା !

କଣ୍ଠ ତୋହର ନ ପାରିଲା ତାହା ଗାଇ,

ପଥ କାହିଁ ? ପଥ କାହିଁ ?

ସକଳ ପ୍ରଦୀପ ନିଭିଗଲା ଆଜି ପୁରେ

ବିଜୟ ଶଙ୍ଖ ନ ଉଠିଲା ବାଜି ଦୂରେ

କାହା ଆଗମନ ପାଇଁ ଆଶାହୀନ ତୁ ରେ !

ଚକିତ ନୟନେ ରହୁ ଚଉପାଶେ ଚାହିଁ

ପଥ କାହିଁ ? ପଥ କାହିଁ ?

ଧ୍ୱଂସର ଡାକ ଭାସି ଆସେ ଦଶ ଦିଶୁଁ

ରଣଭେରୀ ତୋର ସେ ଭୀମ ଶବଦେ ମିଶୁ

ମରଣ ତୋହାର ମୁକତିରେ ବୀର ଶିଶୁ !

ତିନି କାଳ ତୋର ଜୀବନର ଅନୁଯାୟୀ

ପଥ କାହିଁ ? ପଥ କାହିଁ ?

କବିତାଟିର ଅନ୍ୟ ନାମ ‘‘ଅଭିମନ୍ୟୁ’’ ହୋଇପାରେ ।

☆☆☆

 

ବର୍ଷା-ଅଶ୍ରୁ

 

ହେ ବରଷା ତବ ସ୍ରୋତେ,

ଅଶ୍ରୁ-ସଲିଳେ ନିର୍ମଳ କର ମୋତେ ।

ଅନ୍ତରେ କେତେ ଜମିଲାଣି ପାପ

ବଳିଛି ଶୁଷ୍କ ନିଦାଘର ତାପ

ପୁଣ୍ୟ ନିଶାଣ ଉଡ଼ାଇ ଗଗନେ

ବଜ୍ର ଚପଳା ରଥେ

ଅଶ୍ରୁ-ସଲିଳେ ନିର୍ମଳ କର ମୋତେ ।

ରସହୀନ ମମ ଅନ୍ତରମୟ ପୀଡ଼ିତ ଭୃଷିତ ଚିର

ଜୀବନ ମରୁରେ ନୟନେ ନ ଜାଗେ ନୀର !

ତିକ୍ତ ହିୟା ମୋ କଳୁଷ ବିଷରେ

ଝରିପଡ଼ୁ ଧୀରେ ସକଳ ଦିଶରେ

ଅମୃତ ତବ ବହି ଆଣୁ ନବ

ସାନ୍ତ୍ୱନା ହୃଦଗତେ

ଅଶ୍ରୁ-ସଲିଳେ ନିର୍ମଳ କର ମୋତେ ।

ପ୍ରାନ୍ତର ପଥେ ଖେଳିଉଠୁ ଶ୍ୟାମ ଘାସ

ଅନ୍ତରେ ଫୁଟୁ କୋମଳ କମଳ-ହାସ

ନିର୍ମଳ କରି ଆଲୋକ ପବନ

ନିର୍ମଳ କରି ଧରଣୀ ଗଗନ

ଜୀବନର ଧାରା ଦିଅ ହେ ଖେଳାଇ

ବିଶ୍ୱେ ସକଳ ପଥେ

ଅଶ୍ରୁ-ସଲିଳେ ନିର୍ମଳ କର ମୋତେ ।

☆☆☆

 

ବଂଶୀ ଧ୍ୱନି

 

ରଖିଦେବ ନାହିଁ କି ଆଜି ଏ ବାଆ ?

ତିଳେ ହେଲେ ତା’ର ଗୋ ନାହିଁ ତ ମାୟା

ଦିନେ ପରା ବଇଁଶୀ ଶବଦ ଶୁଣି

ତିଆରିଲେ ଲାଜ ଗୋ ଗୋପ ତରୁଣୀ

ଫିଟିଗଲା କବରୀ ତୁଟିଲା ହାର

ପୁଲକରେ ଝରିଲା ଲୋତକ ଧାର

ତୁଆ ତୁଆ ହୋଇ ଯେ ଶୁଭିଲା ସ୍ୱନ

ଛନ୍ନ ଛନ୍ନ ହୋଇଲା ପରାଣ ମନ ।

ଖସିଗଲା କଳସୀ କାଖରୁ ତଳେ

ଚରଣ ଯୁଗଳ ଯେ ତିନ୍ତିଲା ଜଳେ,

ଅଯତନ ବେଶ ଗୋ ବାସ ଭୂଷଣ

କି ଶବଦ ବିହିଲା ଏତେ କଷଣ !

ଜନନୀଙ୍କୁ ନ ଦେଖି କାନ୍ଦେ ନନ୍ଦନ

ନ ମାନଇ ଦୁହିତା ପିତା ବଚନ !

ସ୍ୱାମୀ କଥା ନ ଶୁଣେ କୁଳ ରମଣୀ

ସମାଜର ନିୟମ କେହି ନ ଗଣି !

ରୁଣୁଝୁଣୁ ଶବଦେ ପୂରିଲା ଦାଣ୍ଡେ

ଅଭୂଷଣ କଥା ଗୋ ଅରୂପ କାଣ୍ଡ !

କି ଥିଲା ସେ ଶବଦେ ହୋଇ ଆକୁଳ

କୁଳ ଭୁଆସୁଣୀ ତ ତେଜିଲେ କୁଳ !

ଆଜି ଏହି ଅଥିର ପବନେ ମିଶି

ସୁଦୂର ସେ ପାରୁଁ କି କାନ୍ଦେ ବଇଁଶୀ ?

ଭାସିଆସେ କେସନ ସେ ମୃଦୁ ଧ୍ୱନି

ପ୍ରତି ରେଣୁ-କଣାରେ ଥରେ ଅବନୀ

ଜୋଛନାର ପଥେ ସେ ଆସଇ ଝରି,

ବସନ୍ତର ବତାସେ ବହଇ ଥରି

ଏହି ଚାନ୍ଦ ତଳେ କି ବିହାର ବିଧି

ରଚିଥିବେ ରସିକ ଯଶୋଦାନିଧି ?

ଗୋପେ ଉଠୁଥିଲା ଯେ ସ୍ୱନ ଲହରୀ

ଆଜି ଶୁଭେ ସେ ଧ୍ୱନି ଭୁବନ ଭରି

ନବ ନବ ଛନ୍ଦେ ସେ ଉଠଇ ବାଜି

ନବ ନବ ସ୍ପନ୍ଦନ ରଚଇ ଆଜି !

☆☆☆

 

ନୀରବ ଆହ୍ୱାନ

 

ଏ ଜୀବନ ଗୋଟା ମୁଁ ଗୋ ଗାଇ ଯିବି

ବେଦନାର ବିକଳ ଅନ୍ଧାରେ,

ଦିବସର ଦୁଃଖରାଶି କହିଯିବି

ବକୁଳର ବ୍ୟଥିତ ସନ୍ଧ୍ୟାରେ ।

ନିଖିଳ ପ୍ରବାହେ ଆଜି ସଂସାରର

ଶତସଂଖ୍ୟା କରମର ସ୍ରୋତେ

ଯେବେ) ବ୍ୟର୍ଥତାର ମର୍ମପୀଡ଼ା ଚିରଦିନ

ଶତ ଧାରେ ଚିରିଯାଏ ମୋତେ ।

ଅପୂର୍ଣ୍ଣ ବାସନାରାଶି ଅହରହ

ଯେବେ ମୋର କନ୍ଦାଏ ଅନ୍ତର,

ସେ ମିନତି ଶୁଣିବ ଏ ଆକାଶର

ନେତ୍ରପ୍ରାନ୍ତ କମ୍ପିତ ତ କାତର ।

ଜଗତ ଦୃଷ୍ଟିରେ ଯେବେ ଅତି ହୀନ

ଏ ଜୀବନେ ଯେବେ ମୂଲ୍ୟ ନାହିଁ,

ମୋ କରୁଣଗାଥା ଗୋଟି କହିଯିବି

ସୁଦୂର ଏ ତାରାମୁଖେ ଚାହିଁ ।

ନ ଶୁଣଇ କେହି ଯଦି ଘୃଣାଭରେ

ଯାହା ମୁଁ ଗୋ ଗାଉଛି ହତାଶେ

ଅନ୍ତର ନିଗାଡ଼ି ମୋ ସବୁ ସ୍ୱର

ଢାଳିଦେବି ଦକ୍ଷିଣ ବତାସେ ।

ବିଫଳ ହୁଅଇ ଯେବେ ସବୁ ଆଶା

ବ୍ୟର୍ଥ ଯେବେ ସକଳ ସାଧନା

ଲୋକନେତ୍ର ଅନ୍ତରାଳେ ରଚିବି ମୋ

ସ୍ୱପ୍ନ ରାଜ୍ୟ ବିଶ୍ୱ-କଳପନା

ପରାଣର ଶ୍ରେଷ୍ଠତମ ସ୍ୱରଧାରା

ନୀରବତା ମଧ୍ୟେ ଯିବ ମିଶି

ପ୍ରାଣପ୍ରିୟ ଆଶାରାଶି ମେଣ୍ଟାଇବ

ସ୍ୱପ୍ନ-ଦେଶେ ଘନ ଅର୍ଦ୍ଧନିଶି

ସହସ୍ର ବିପଥେ ପଥେ ଜଗତରେ

ବହି ତପ୍ତ ଅଶାନ୍ତିର ବ୍ୟାଧି

ଆଷାଢ଼ର ଆର୍ଦ୍ର ଗନ୍ଧେ ଘାସପରେ

ରଚିବ ମୋ ନୀରବ ସମାଧି ।

☆☆☆

 

ଶରତ୍‍-ସନ୍ଧ୍ୟା

 

କେନାଲର ଆର ପାଖେ

ତାଳବନ ଫାକେଁ ଫାକେଁ

ଧବଳିତ କାଶବନ ହସଇ

ପ୍ରତୀଚୀର କୋଳେ ରବି ଖସଇ ।

କେନାଲର ଦୁଇକୂଳେ

ତାଳଗଛ ଧାଡ଼ି ମୂଳେ

ଫୁଲିଉଠେ ଗରବିତ ପାଣିରେ !

ଉଦ୍‌ଭିନ୍ନ ଯଉବନ ଠାଣିରେ ।

ମନ୍ଥର ଧୀର ଅତି

ଅଚପଳ ଜଳଗତି

ତଳେ ତା’ର ତାଳଗଛ ଛାଇରେ

କାଟିଛି ସରଳରେଖା ମହୀରେ ।

ଚାଲିଛି ମୁଁ ସଙ୍ଗେ ତା’ର

କି ବିରାଟ ଅଭିସାର !

ଚାଲିଛି ମୁଁ ଦୂରେ କେଉଁ ଦୂରେ ଗୋ

କି ବା ଗନ୍ଧେ ଅନ୍ତର ପୂରେ ମୋ ।

ଆଜି ଖାଲି କହେ କଥା

ଚଉପାଶେ ନୀରବତା

ହୃଦୟର ଦୁକୁଦୁକୁ ଶୁଭଇ

ନିଃଶ୍ୱାସ ଅତି ଧୀରେ ରାବଇ ।

ଅତୀତର ଯେତେ କ୍ଷଣ

ନୀରବିଲା ଅକାରଣ

ବିତିଗଲା ଦିନ ଦୁଃଖ ସୁଖର

ହେଲା ନାହିଁ ଯାହା କେବେ ମୁଖର;

ସେହି ମୋର ହେଲା ପ୍ରିୟ

ସବୁଠାରୁ କମନୀୟ

ସେହି ମୋର ଅନାଗତି ରାଗିଣୀ

ଯାହା କେବେ ଏ ଜୀବନେ ବାଜିନି ।

ଭରି ସେହି ନୀରବତା

ଧାନକ୍ଷେତ କହେ କଥା

ରଞ୍ଜିତ ନଭପଥେ ବିଲୋକେ

ନୀତ ଢେଉ ଖେଳେ ସୁନା ଆଲୋକ

ଧାନଖେତ ଡାକେ ମୋତେ

ହାତ ଠାରି ଅବା ସତେ

କାମ ତୋର ନୀବରେ ଦେଖିବା

ଆଜି ଖାଲି ବସି ଛବି ଲେଖିବା ।

କାଶବନ କହେ, ‘‘ବାରେ

ଭୁଲିଯାଅ ପଥ ଆରେ,

ରହିଯାଅ ସାବଧାନ ପାନ୍ଥ

ଧରାରେ ଖେଳୁଛି ଛବି କାନ୍ତ !

ଭୁଲି ଜରା ଯଉବନ

ସପନ ବା ଜାଗରଣ

ଅତୀତର ଶତ ସୁଖ ଯାତନା

ଆଗାମୀର ନବ ଆଶା ବାସନା ।

ଦେଖିଯାଅ ରୂପ କବି,

ଦୂର ପାଟେ ବୁଡ଼େ ରବି

ଶରତର ଆଜି ସୁନା ଆକାଶ

ଅନ୍ତରେ ଲଭୁ ତୋର ବିକାଶ

ଆଖିମୟ ଦେହ ମମ

ଲାଖେ ମଧୁଲୀଟ ସମ

ସୁଷମାର ମଧୁପାନେ ରମଇ

ଅସ୍ଥିର ପାଦ ନାହିଁ ଗମଇ ।

ବେଗେ ଆସେ ବେଢ଼ି ଛାୟା

ଏହି ପଥେ ରହେ ଆହା

ସବୁ ଶୋଭା ନିମେଷରେ ଗୁପତ

ରୂପତୃଷା ନୋହେ କାହିଁ ତୃପତ !

☆☆☆

 

ପାପ

 

ଜୀବନେ ଯେତେ କରିଛି ଜାଣି ପାପ

ତା’ ପାଇଁ ନାହିଁ ବେଦନା ଅନୁତାପ

ପୀରତିଠାରୁ ଅଧିକ ପ୍ରିୟ

ଲାଜରୁ ବଳି ସେ ଗୋପନୀୟ

ଦୁଃଖରୁ ବେଶି କୋମଳତର

ସ୍ମୃତିରୁ ଲୋଭନୀୟ,

ପୀରତିଠାରୁ ଅଧିକ ସେ ଯେ ପ୍ରିୟ ।

ଜୀବନେ ଅନୁଭବିଛି ଯତେ ଲାଜ

ସେ ନୁହେଁ ତ୍ରୁଟି, ସେ ନୁହେଁ ମୋର ବ୍ୟାଜ

ପେଲବ ସେ ଯେ ପରଶ ଥିଲା

ମଧୁର ଶିଶୁ ପ୍ରାଣର ଲୀଳା

ରମଣୀ-ହିୟା-ସୁଲଭ ଏକ

ଚତୁର ଚାରୁ ବ୍ରୀଡ଼ା,

ପେଲବ ସେ ଯେ ପରଶ ଏକ ଥିଲା ।

ଜୀବନପଥେ ଉଦିଲା ଯେତେ ଭୟ

ଡରାଇ ମନ, ଥରାଇ ଦେହମୟ

ସେ ଆଜି ମୋର ହୋଇଛି ଭଲ

ଆଣିଚି ମନେ ଅସୀମ ବଳ

ନୟନ କୋଣୁ ଦେଇଛି ପୋଛି

ସହାୟହୀନ ଜଳ

ସେ ଆଜି ମୋର ହୋଇଛି ବଡ଼ ଭଲ ।

ଲଭିଛି ଯେତେ ଦୀନତା ଅପମାନ

ସେ ଆଜି ମୋତେ ପାରିନି କରି ସାନ

ପାରିନି କରି ଗରବ କ୍ଷୟ

ହୋଇଛି ଖ୍ୟାତି ସେ ମୋର ଜୟ

ଅଜଣା ଅତି ଅଶୁଣା ପଥେ

ସେ ମୋର ପରିଚୟ

ପାରିନି କରି ଗରବ ସେ ତ କ୍ଷୟ ।

ଦେବତା ସମ ମାନିଲେ ଯେତେ ବିଧି

ବିଚାରହୀନ ହୃଦୟେ କରି ନିଧି

ମାନିଲି ଯେତ ନ ପାରି ବୁଝି

ନ ଦେଖି ରୂପ ନୟନ ବୁଜି

ନ ଗଣେଁ ଦୁଃଖ ଗଲେ ସେ ତୁଟି

ଗଲେ ସେ ଭାଂଗି ରୁଜି

ମାନିଲି ଯେତ ନ ପାରି କିଛି ବୁଝି ।

ଦେଇଛି ନିଜେ ପାଇଛି ଯେତେ ଘୃଣା

ସେ ଲାଗି ତିଳେ ନୋହିଛି ମୁଁ ଯେ ଊଣା

ଦେଖାଇ ଆଶା କରିଛି ଲୋଭ

ଦେଇଛି ଦୁଃଖ ବହିଛି କ୍ଷୋଭ

ପ୍ରେମର କେତେ ପରଶ ସୁଖ

ବ୍ୟଥାର ଅନୁଭବ

ଦେଖାଇ ଆଶା କରିଲି କେତେ ଲୋଭ ।

ନୂତନ ଦୁଃଖ ଆସିଛି ଦୁଃଖ ପରେ

ନୂତନ ପାପ ଉଇଁଛି ପୁଣି ଥରେ

ପୁରୁଣା ସ୍ମୃତି ହୋଇଛି ମାୟା

ପୁରୁଣା ଦୁଃଖ ଯେସନ ଛାୟା

ନୂତନ ପାପ ଦେଖାଏ ପୁଣି

କାଳିମାମୟ କାୟା

ପୁରୁଣା ଯେତେ ହୋଇଛି ସବୁ ମାୟା

କହଇ ଜଣେ ଯାହାକୁ ଅଭିଶାପ

ଅପର ଲାଗି ନୁହଇ ସେ ତ ପାପ

କିପାଁଇ ତେବେ ରହିବି ଜାଗି

ପାପର ଭୟେ ମରିବା ଲାଗି

ନିଜକୁ କିପାଁ ଆହତ କରି

ହୋଇବି ହତଭାଗୀ

ପାପର ଭୟେ କିପାଁଇ ଥିବି ଜାଗି !

☆☆☆

 

ଦେବଶିଶୁ

 

କିଏ ଦେବଶିଶୁ ମାନବର ରୂପ ବହି

ବିଚରଣ କର ଧରାଧାମେ ଅବିରତ ?

କାହାର ପ୍ରଥମ କ୍ରନ୍ଦନ ଶୁଣି ମହୀ

ହସଇ ବିକାଶି ଅଭିନବ ରୂପ ଶତ !

କାହାର ଚରଣ ସ୍ପନ୍ଦନେ କ୍ଷଣେ କ୍ଷଣେ

ବାଜଇ ମଧୁର ମୂର୍ଚ୍ଛନା ରହି ରହି

ଦେବତାର ରୂପ ମାନବରେ ପରିଣତ

ନବ ନବ ନଟ ଘେନ କେଉଁ ଆଚରଣେ ?

ଜଗତର ବୁକେ ବକ୍ଷ ଦେଇଛ, ପାତି

ରୁଧିର ନିଗାଡ଼ି ଡାକୁଅଛ ‘‘ଆସ ଆସ’’

ଆସ ବୀର ଆସ ମହା ରଣମଦେ ମାତି

ନିଭି ନାହିଁ ମମ ଅଙ୍ଗୁ ହନନ ପ୍ରାସ !

ଆସ ହେ ରୁଦ୍ର ଆସ ମରଣର ଜୟୀ

ଆସ ଦୀନ ହୀନ, ଆସରେ ମାନବଜାତି

ମରଣକୁ ମୋର କରିଯାଅ ଉପହାସ

ମୂକ ଧରଣୀର ଅମୃତ ଭାଷା କହି !

କଣ୍ଟକ କ୍ଷତି ନିଭି ନାହିଁ ମୋ ଦେହୁଁ

ଆଘାତ ମୋହର ଲାଗେ ସବୁ ଅବୟବେ

ତଥାପି କହଇଁ କ୍ଷମା ଦିଅ ତାକୁ, ସେହୁ

ଆପଣା ଚରିତ ପାରି ନାହିଁ ବୁଝି ଲବେ !

ତଥାପି କହଇଁ ଆସରେ ମାନବଜାତି

ଛାତିରେ ତୋହର ଧରା ପଦାଘାତ ଦେଉ

ଅସ୍ଥିରେ ତୋର ପଥ ଗଢ଼ିଦିଅ ଭବେ

ଆଲୋକେ ତୋହରି ହସିଉଠୁ ଅମା ରାତି !

ଆସ ଦୂତ ଆସ ଆସରେ ଆଲୋକଧରି

ଆସରେ ଅଗ୍ର ଦେଖାଅ ବିଶ୍ୱପଥ

ରଖରେ ଘୋଡ଼ାଇ ଦୀନର ନୟନବାରି

ଶଙ୍ଖ ତୋହର ବାଜିଉଠୁ ଅବିରତ ।

ଜାଳିଦିଅ ବୀରଜୀବନର ହୋମାନଳ

ଆସ ଦୁର୍ଦ୍ଦମ, ଆସ ହେ ପୁରୁଷ ନାରୀ ।

ମାନବର ରୂପେ ଦେବଶିଶୁ ଶତ ଶତ

ନବ ଚେତନାରେ ଚମକୁ ଗଗନତଳ !’’

☆☆☆

 

ସୃଜନ ବ୍ୟଥା

 

କେତେ ଢେଉ ଉଠେ ପଡ଼େ

ବିଶ୍ୱର ମାନବ-ପାରାବାରେ

କେତେ ଧ୍ୱନି କେତେ ଛନ୍ଦ

ମିଳାଏ ଯେ ଅସୀମର ପାରେ ।

ନିତି କ୍ଷଣେ କ୍ଷଣେ କେତେ ନବ ନବ ଛବି

ମୁହୁର୍ମୁହୁଃ ପ୍ରାଣେ ଅନୁଭବି

ସବୁ ଛନ୍ଦ ସବୁ ଛବି ଅସୀମରେ ହୁଅଇ ବିଲୀନ

ନ ରହେ ସଙ୍କେତ କାହିଁ ନାହିଁ ରହେ

ତିଳେ ତା’ର ଚିହ୍ନ ।

କେତେ ମେଘ ଉଦେ ହୋଇ ଗିରି ଚୂଡ଼ାପରେ

ଯାଏ ଯେ ମିଳାଇ ପଲକରେ

ନ ଦେଖୁଁ ନିଜର ପଥ,

ଦେହେ ତା’ର ବିଜୁଳି ଚମକ

ନ ଲାଗୁଁ, ଅସୀମ ଦେଶେ ନିଭିଯାଏ

ନ ହୁଏ ବିଲୋକ ।

ତୈଳହୀନ ପ୍ରଦୀପର କ୍ଷୀଣ ରଶ୍ମି ରେଖା

ନିମେଷକ ଲାଗି ଦିଏ ଦେଖା

ନିମେଷକ ପରେ ପୁଣି ନିବିଡ଼ ତମସା ଅନ୍ତରାଳେ

କାହିଁ ଯେ ଉଭେଇଯାଏ ଦେଖିଅଛି

କିଏ କେଉଁ କାଳେ ?

କେତେ ଉଲ୍କା ପଡ଼େ ଖସି ଗଗନର ପଥେ

ସକୁରଣ ହାସ ଏ ଜଗତେ

ନିମେଷରେ ଦେଖାଦେଇ ନିମେଷରେ

ଯାଏ କାହିଁ ଦ୍ରବି,

ଏ ଆକାଶେ ଚିହ୍ନ, ତା’ର ରହେ କାହିଁ,

ରହେ କାହିଁ ଛବି !

କେତେ ଝର ହଜିଯାଏ ନ ମିଶୁଁ ସାଗରେ

ଅବିଦିତ ପାଷାଣ ଗହ୍ୱରେ ।

ଚିରକାଳ ପାଇଁ ତା’ର ଜୀବନର କ୍ଷୀଣ ଇତିହାସ

ଏ ଭୁବନ କୋଳାହଳେ ଅବହେଳେ ରହେ ଅପ୍ରକାଶ ।

ନ ଦେଖୁଁ ଆଲୋକ ଧରାତଳେ ପଡ଼େ ଝରି

ଅଶୋକର ପେଲବ ମଞ୍ଜରୀ ।

ବହିଯାଏ ସମୀରଣ ସମାଚାର ନାହିଁ ପାଏ ତା’ର,

ମଧୁକରି ଆନମନେ ଫୁଲେ ଫୁଲେ ରଚଇ ବିହାର,

ହଜିଯାଏ ଯେତେ ଧନ ନାହିଁ ଯାର ସତ୍ତା

କେହି ତା’ର ନ ପୁଚ୍ଛେ ବାରତା !

ତେସନ ଉଦୟ ହୋଇ ବିରାଟ ମାନବ-ପାରାବାରେ

ବୁଦ୍‌ବୁଦ ସମାନ କାହିଁ

ଯାଏ ସେ ମିଳାଇ ଅନ୍ଧକାରେ,

ଜୀବନର ସୂକ୍ଷ୍ମତମ ଏକଗୋଟି କଣା !

ନୂତନ ସତେଜ ସରଜନା ।

ସବୁରି ପଛରେ ଆସି ଚଳିଯାଏ ସକଳର ଆଗେ,

ଅଧର ନ ହେଉଁ ତା’ର ବିରଚିତ ନବ ହାସ୍ୟରାଗେ,

ଆସିଥାଏ କ୍ରନ୍ଦନର ଭାଷା ଘେନି ଖାଲି

ଶେଷ କ୍ରନ୍ଦନରେ ଯାଏ ଚାଲି !

ପୂର୍ଣ୍ଣ ଦୁଇଗୋଟି ଶଶୀ ନ ଖେଳୁଣୁ ତା’ନୟନ ପରେ

ନ ଶିଖୁଁ ଡାକିବା ପାଇଁ ତୋଳି ତାକୁ

କ୍ଷୁଦ୍ର ଦୁଇ କରେ,

ଦିଓଟି ଶଶୀରେ ତା’ର ସରିଯାଏ କ୍ରୀଡ଼ା !

ନ ଦେଖଇ ସୁଖ ପୀଡ଼ା,

ନ ପାରଇ ବୁଝି କେହି ମୃଦୁ

ପ୍ରାଣେ କିବା ଅନୁଭୂତି

ଲାଗେ ତା’ର ଅହରହ; ଆଣିଥାଏ ସେ କେଉଁ ବିଭୂତି,

କରିବାକୁ ଏ ଭୂବନ ପଥେ ନିବେଦନ

ଅଦ୍ଭୁତ କି ଉଦଭାବନ !

କ୍ଷଣିକ ଆଘାତ ଆସେ କ୍ଷଣ ପରେ ଭୁଲିଯାଏ ନର,

ଭାବେ, ଏଥି ନାହିଁ କ୍ଷତି ନାହିଁ ଲାଭ ନାହିଁ ଜୀବନର,

ଜ୍ଞାନର ଛଳନା କରି କହେଁ, ଏଥି ଚିତ୍ତ

ବିଚଳିତ ହେବା ଅନୁଚିତ ।’’

ଅର୍ଥହୀନ ବୋଲି ମଣେ ବୁଦ୍ଧିହୀନ ମାନବସନ୍ତାନ

ନୟନର ପଥେ ତା’ର ଏଭୁବନେ ନାହିଁ ଯାର ସ୍ଥାନ,

ନ ବୁଝେ କମ୍ପିତ କରେ ସଧୀର ତରଙ୍ଗ

ମହା ନୀଳିମାର ସର୍ବ ଅଙ୍ଗ;

ବିହଙ୍ଗର ଗତି ପୁଣି କ୍ଷୀଣତମ ସ୍ୱରର ଚାଳନା

ସକଳ ଆକାଶଦେଶେ ଜଗାଏ କି ବ୍ୟଥିତ ସ୍ପନ୍ଦନ

ଏକ ଅଙ୍ଗେ ଲାଗେ ଯେବେ ଆଘାତ ବେଦନା

ଛୁଟେ ତା’ର ବ୍ୟଥିତ ଦ୍ୟୋତନା

ସକଳ ଶରୀର ପରେ, ପ୍ରାଣମୂଳେ ବାଜଇ ଝଙ୍କାର

ଅନ୍ତର ମଥିତ କରେ ଅପହୃତ ଧନ ଆଶଙ୍କାର

ସୃଷ୍ଟିର ବିରାଟ ପ୍ରାଣେ ତଥା ଅହରହ

ଲାଗଇ ଯେ ଦୂରନ୍ତ ବିରହ !

ଗଳଇ ରୁଧିରରାଶି ଯନ୍ତ୍ରଣାର କ୍ଷତ ଅବକାଶ

ନିତି ପ୍ରଦୋଷ ଉଷାରେ ସେ

ବେଦନା ଲଭଇ ପ୍ରକାଶ

ପରାଚୀ ପ୍ରତୀଚୀ ଭାଲେ ରକତର ରାଗେ,

ବିରହର ଶତ କ୍ଷତ ଦାଗେ ।

ବିଚିତ୍ରିତ ଏ ଭୁବନ, ଲୁପ୍ତ ଝରଣାର ବ୍ୟଥା ବହି

ଝରିପଡ଼େ ଯେ କୋରକ କୋଟି ବିୟୋଗର ପ୍ରାସ ସହି

ସୃଜନର ଅଶ୍ରୁ ରାଶି ଝରିପଡ଼େ ସଦା

ଏ ଧରଣୀ ହୁଏ ତହିଁ ଓଦା ।

ଆଶ୍ୱିନର ଉଷା-ଘାସେ ମୁକୁତା ତୁଷାର ପଡ଼େ ଝରି

ସବୁଜ ବେଦନା ପରେ ଲୋତକ ଉଠଇ କିବା ଭରି !

ଆଷାଢ଼ ମାଟିର ବ୍ୟଥା ହୁଅଇ ପ୍ରକାଶ

କମ୍ପନରେ ଜାଗଇ ଆକାଶ ।

ରୁଦ୍ଧ ହୃଦୟ ଆବେଗ ନୟନ ଜଳରେ ଦିଏ ଢାଳି;

ପରାହତ କବି ଯଥା ଲୋତକରେ ଦିଅଇ ପଖାଳି

ଅପ୍ରକାଶ ଅନାଗତ ବେଦନାର ଛନ୍ଦ;

ଫାଟିପଡ଼େ ହୃଦୟର ବନ୍ଧ,

ଦମ୍ଭ ତା’ର ଯାଏ ତୁଟି, କଣ୍ଠେ ତା’ର ଶୁଖିଯାଏ ଗାନ,

ସୃଜନ ବ୍ୟଥାରେ ତା’ର ଅନ୍ତର ଲଭଇ ମ୍ରିୟମାଣ ।

ସକଳ କଳା-ଶିଳିପୀ ପାରେ ଅନୁଭବି

ଚିତ୍ରେ ଯେହୁ ତୁଳିକାରେ ଛବି ।

ରୂପ ଖୋଜି ଅରୂପରେ ପ୍ରାଣ ତା’ର ହୁଏ ନିମଗନ

ଅନ୍ତରେ ବାଜଇ କେତେ ସୃଜନର ନିବିଡ଼ ବେଦନ ।

ଉଦେ ହୁଏ କେତେ ଛବି ମାନସପଟରେ

ବିଚାରେ ଲଭିବ ନିକଟରେ ।

ତୁଳିକା ରଞ୍ଜିତ କରି ଧରିବାକୁ ବଢ଼ାଇଲେ କର

ମରୀଚିକା ସମ ସେ ଯେ କ୍ଷଣ ପରେ ହୁଅଇ ଅନ୍ତର

ଛନ୍ଦ ଆଶେ କଣ୍ଟକରି ବସିଲେ ସଜାଇ

ଆସି କ୍ଷଣେ ଯାଏ ସେ ଉଭାଇ ।

ସତ୍ୟର ପ୍ରକାଶ ଆଶେ ଯେ କରଇ ପ୍ରାଣାନ୍ତ ସାଧନା,

ମରମେ ବୁଝଇ ସେହୁ ସୃଜନର ନିଗମ ବେଦନା ।

ଯେ ବାସନା ବହୁ ଯୁଗୁଁ ପରାଣେ ସଞ୍ଚିତ

କଳ୍ପନାର ଭୂଷଣେ ବ୍ୟଞ୍ଜିତ ।

ମାନବ ଅନ୍ତରତଳେ ଆଦି କାଳୁଁ ରହିଛି ଯେ ଦାଗ

କେତେ ଯତ୍ନେ କେତେ ପ୍ରାଣେ ବୋଳି ତହିଁ ନବ ଅନୁରାଗ,

କରଇ ନୀବନ ଢାଳି ସେନେହେ ଲାଳିତ;

କେତେ ଶଙ୍କା ଆବେଗରେ ଚିତ୍ତ;

ଉଦ୍‌ବେଳିତ କରେ ତାହା ! ତେସନ ନାରୀର ଅନ୍ତସ୍ଥଳେ

ଦେହ ମନ ଅବୟବେ ସୃଜନ ବ୍ୟଥାର ରକ୍ତ ଗଳେ ।

ଯେଉଁ କାଳୁ ଆଦି ନାରୀ ଲଭିଛି ଜନମ,

ଏ ବ୍ୟଥାରେ ବ୍ୟଥିଛି ମରମ;

ସେହିକାଳୁଁ ଶୁଣିଅଛି ଅଜାତ ସେ ଶିଶୁର କ୍ରନ୍ଦନ

ଅନ୍ତରେ ଅନ୍ତରେ ତା’ର ଲାଳିଛି ସେ ପ୍ରାଣର ନନ୍ଦନ,

ତୃପ୍ତିହୀନ ଆଶା ବହି ପରାଣ ପରାସେ

ବସି ରହେ ତାହାରି ସକାଶେ

ନୀରସ ଧରଣୀ ବସେ ଚାହିଁ ଯଥା ବରଷା ଆଶାରେ

ପ୍ରକାଶିବ ଛନ୍ଦ ତା’ର ପଲ୍ଲବିତ କୁସୁମ-ଭାଷାରେ

ଛନ୍ଦହୀନ ରମଣୀର ଅପ୍ରକାଶ ପ୍ରାଣ

ଅକାରଣ ଭଜେ ମ୍ରିୟମାଣ ।

ନୁହେଁ ନୁହେଁ ଅକାରଣ ଅର୍ଦ୍ଧ ସ୍ଫୁଟ ଆହତ ମଞ୍ଜରୀ

ଅପ୍ରକାଶ ବାଣୀ ଯେତେ ମିଳାଇଛି, ହୋଇ ନାହିଁ ଧରି

ପ୍ରତି ଅଣୁ ପରମାଣୁ ନୋହେ ଅକାରଣ;

କୋଟି କୋଟି ଜୀବନ ମରଣ ।

ବହି ନେଇ ବିକାଶରେ ପଥେ ସଦା ଧାଇଁଛି ଏ ସୃଷ୍ଟି,

ତପତ ତଡ଼ାଗଜଳ ଫେରିଆସେ ହୋଇ ଶୀତ ବୃଷ୍ଟି,

ଏ ବିରାଟ ବିଶ୍ୱେ କେବେ ନାହିଁ କାର କ୍ଷୟ,

ଚିରଦିନ ଝରଇ ଅଭୟ ।

ମରଣ ଯାତନା ଜରା ବିୟୋଗ ବିଚ୍ଛେଦ ବ୍ୟଥା ବ୍ୟାଧି

ଜୀବନ ମିଳନ ସୁଖ ସ୍ନେହ ପ୍ରେମ ଯେ ଆନନ୍ଦ ଆଦି

ସୃଷ୍ଟି ବିକାଶର ପଥେ ପ୍ରୟୋଜନ ତୁଲ୍ୟ

ସମାନ ଯେ ସକାଳର ମୂଲ୍ୟ ।

ନ ଲାଗୁଣୁ ଶିଶୁ ମୁଖେ ଆଲୋକର ଚାରୁ ହାସରେଖା

ମୃତ୍ୟୁର ମଳିନ ଅଧରକୋଣରେ ଦେଲେ ଦେଖା

ସ୍ଥିର ହେଲେ ଜୀବନର ସଧୀର ଚଳନା

ଅଚଞ୍ଚଳ ତବଧ ଚେତନା

ମୁହୂର୍ତ୍ତକେ ଉଦେ ହୋଇ ମୁହୂର୍ତ୍ତକେ ପଡ଼ିଲେ ମଉଳି

ନବୋଦ୍‌ଗତ ଅଙ୍କୁରଟି ରବିକରେ ନଇଁଲେ ଝାଁଉଳି,

ଅକାରଣ ନୁହେଁ ତା’ର କ୍ଷଣିକ ବିକାଶ—

ଅକଳଙ୍କ ସୃଷ୍ଟିର ନିର୍ଯ୍ୟାସ ।

ଅନନ୍ତ ଜୀବନ ସ୍ରୋତେ ବହିଯାଏ ସୀମାହୀନ ଦେଶେ,

ଅସୀମ ଜୀବନ ଉତ୍ସେ ଛନ୍ଦ ତା’ର ମିଶେ ଅବଶେଷେ ।

ବିରାଟ ସେ ଚେତନାର ଉଦ୍ଦାମ ପ୍ଳାବନ

ବହି ଆଣେ ଅନନ୍ତ ଜୀବନ ।

ଜଳେ ସ୍ଥଳେ ଆକାଶରେ ବିନାଶରେ କୋଟି ରୂପ ଧରି

ବିପୁଳ ପ୍ରାଣ ପ୍ରବାହ ବିଶ୍ୱମୟ ରହିଅଛି ଭରି,

ଭୁବନର ପ୍ରତି ରନ୍ଧ୍ରେ ପ୍ରତି ଅବକାଶେ,

ଜୀବନର ଚେତନା ବିଭାସେ ।

ମାନବ ନୟନେ ଯାହା ଶୂନ୍ୟେ ବୋଲି ହୁଅଇ ପ୍ରତୀତି,

ସୂକ୍ଷ୍ମତମ ସେହି ଶୂନ୍ୟେ ପୁରି ଅଛି ଜୀବନର ଗୀତି,

କୋଟି ଚେତନାରେ ଅଣୁ ପରମାଣୁ ରସେ

ରୂପେ ରୂପେ ଏ ସୃଷ୍ଟି ବିଳସେ !

ଘୂର୍ଣ୍ଣାୟିତ ବିଶ୍ୱଚକ୍ରେ ଯେତେ ଲୟ ସ୍ଥିତି ବା ଜନମ

ବ୍ୟଥାର ଆନନ୍ଦ ରସେ ସଦା ତା’ର ପୀଡ଼ିତ ମରମ,

ଅନୁକ୍ଷଣ ବହି ଏହି ବ୍ୟଥାର ଆନନ୍ଦ

ଜାଗିଉଠେ ସୃଜନର ଛନ୍ଦ ।

☆☆☆

 

ଜୀବନ

 

ମାନବ ଜୀବନ ଲଭିଅଛୁ ଯେବେ ଦି’ଦିନ ପାଇଁ

ତେବେ କିପାଁ କରୁ ବିରସ ବଦନ କହ ତ ଭାଇ !

ମରଣ ଆଗରୁ କି ଡର କହ ତ ମରିବା ଡରି

ଯେତେଦିନ ତୋର ଜୀବନ ସଉଦା ଯାଇନି ସରି ?

ମୁଖେ ଅଛି ହସ, ଆଖିରୁ ତୋହର ଶୁଖିନି ପାଣି

ନିରୋଳାରେ ଯଦି କଣ୍ଠୁ ବେଦନା ବାଜଇ ବାଣୀ ।

ଚରଣ ନୋହିଛି ଶିଥିଳ ଅବଶ ହୋଇନି କର

ଲୋମର ପୁଲକ ନୟନର ତୃଷା ରହିଛି ତୋର ।

ଦୁଇଦିନ ହସି ଦୁଇ ଟୋପା ଲୁହ ପାରିଲେ ଢାଳି

କିବା ଦୁଃଖ ତାପ ଅଛି ତୋର ଆଉ କହ ତ ଭାଳି ?

ଯେ ଦିନ ନୟନୁଁ ଶୁଖିଯିବ ଲୁହ ନିଭିବ କଥା

ସେହି ସିନା ଦୁଃଖ ସେହି ସିନା ତୋର ମରଣ ବ୍ୟଥା ।

ଭାଷା ଯେବେ ତୋର ଜୀବିତ ରହିଚି ବଦନେ ହାସ

ଜଳିଉଠେ ଆଶା, ଆଖିରେ ପୂରଇ ଲୋତକ ପ୍ରାସ,

ଅଛି ତେବେ ସବୁ ଅଛି କାମଧେନୁ ଜୀବନ-ଗାଭୀ

ଜୀବନରୁ ବଳିକି ଲୋଡ଼ୁ ଅଧିକ କହ ତ ଭାବି ?

☆☆☆

 

ଏହି ଯେ ପାହାଡ଼

 

ଏହି ଯେ ପାହାଡ଼ ଆକାଶେ ଟେକିଛି ଶିର

ଯୋଗୀର ଧୂସର ଧିଆନ ସମାନ ଥିର !

ଉପହସି କେତେ ଝଞ୍ଜା ବତାସ ଖରା

କେତେ ବସନ୍ତେ ତୁଟିନି ଧିଆନ ପରା !

କମ୍ପନହୀନ ବିପୁଳ ବକ୍ଷ ତୁଲେ

ଉପବୀତ ସମ ସରୁ ପଥଟିଏ ଝୁଲେ ।

ତଳେ ଉଭାହୋଇ କ୍ଳାନ୍ତ ପଥିକ ଏକ

ତ୍ରସ୍ତ ନୟନେ ନିରେଖୁଚି ତା’ର ଟେକ

ନିରେଖୁଚି ଏହି ପଥ ହେବ ବୋଲି ପାରି

ଅନ୍ତରମୟ ନିରାଶା ପୂରିଛି ଭାରି ।

ପାହାଡ଼ କଟିରେ ଉଡ଼ଇ ବିହଗ ଦୁଇ

ନ ପାରଇ ତା’ର ତୁଙ୍ଗ ଶିଖର ଛୁଇଁ ।

ପ୍ରତୀଚୀ ଗଗନେ ବୁଲାଏ ପଥିକ ଆଖି

ଆଉ ବେଳେ କେତେ ରହିଚି ତା’ପାଇଁ ବାକି ?

ମାନସେ ନାଚଇ ପାହାଡ଼ ସେପାଖ ଛବି

କେଉଁ ଘରବାଡ଼େ ହସୁଥିବ ଏହି ରବି !

କେଉଁ ଗ୍ରାମପଥେ କୁଟୀର ଆଠ କି ଦଶ

ଡାହାଣିଆ ଖରା ହସୁଥିବ ଶେଷ ହସ ।

ହମା ରବ ଛାଡ଼ି ଛୁଆକୁ ଆଗରେ ଚାହିଁ

ଫେରୁଥିବ ପରା ଗୋଠୁଁ ତା’ର କାଳୀଗାଈ ।

କେଉଁ ରମଣୀର ନୟନ ତାହାରି ପଥ

ଚାହିଁ ଚାହିଁ ପୁଣି ଫେରୁଥିବ ଅବିରତ,

ପରିଚିତ କେଉଁ ରୂପ ସେ ଦେଖିବା ଲାଗି

କୋଳେ ଶିଶୁ ଧରି ଚାହିଁଥିବ ଅନୁରାଗୀ,

ପାହାଡ଼ ଉପରେ ପରିଚିତ କଳା ଛାଇ

ଦେଖିବାକୁ ପରା ରହିଥିବ ପଥ ଚାହିଁ !

ଅସ୍ଫୁଟ କେଉଁ ଶିଶୁର ମଧୁର ବାଣୀ

ବାଜେ ପଥିକର ସବୁ ଇନ୍ଦ୍ରିୟ ଟାଣି

ଆସଇ ଚେତନା ଚମକି ଆଗକୁ ଧାଏଁ

ପାହାଡ଼ ପାଚେରି ଉଠିଚି ଆକାଶ ଯାଏଁ

ଲୋଡ଼େ ଆର ପାରି ଡେଇଁଯିବା ପାଇଁ ଉଡ଼ି

ଦୂର ଗାଆଁ କୋଳେ ରବି ଯାଏ ଧୀରେ ବୁଡ଼ି ।

ବାନ୍ଧି ସାହସ ପୁଣି ଚାରି ଖୋଜ ଉଠେ

ସଞ୍ଜ ଗଗନେ ଗୋଟି ଗୋଟି ତାରା ଫୁଟେ ।

କୋଟିଏ ବାସନା ମାନସ ଆକାଶେ ତା’ର

ରଚିଲେ ଅସୀମ ଅସ୍ଥାୟୀ ଅଭିସାର ।

ବନ କୋଳେ ଶୁଭେ ହିଂସ୍ର ପଶୁର ନାଦ

ଛୁଟଇ ସାହସ, ଥକିଯାଏ ତା’ର ପାଦ

ପାହାଡ଼ ସେ ପାଖୁଁ କେତେ ସୁକୋମଳ ଗୀର

କାନେ ଆସେ ଅବା ନ ପାରେ ହୋଇ ସେ ଥିର,

କୁଟୀର ଦୁଆରେ ପରଦିନ ପରଭାତେ

ସେହି ପାହାଡ଼କୁ ଚାହିଁ ପୁଣି ମନ ମାତେ ।

ଲଘିଂଲା କେତେ ଜୀବନେ ଏସନ ଗିରି

ଶତ ସଙ୍କଟ ଅନ୍ତର ଗଲା ଚିରି !

ଗତ ସନ୍ଧ୍ୟାର ସ୍ପନ୍ଦନ ପୁଣି ଲୋଡ଼େ !

ଲଭିଥିଲା ଯାହା ପାହାଡ଼ ଉଠାଣି ମୋଡ଼େ !

☆☆☆

 

ରୂପ ଓ ବାଣୀ

 

ରୂପେ ରୂପେ ଆଜି ଫୁଟି ଉଠେ ତବ ବାଣୀ

ଭୁବନ ବିରାଟ ଭାଷାର ସିନ୍ଧୁ ଛାଣି

ବାଣୀରେ ତୁମର ଫୁଟୁ ଅଭିନବ ରୂପ

ଜାଗ ଯୌବନ ଜାଳି ଜୀବନର ଧୂପ ।

ଜାଳିଦେଇ ଜରା ଜଡ଼ତା ତମସା ରାଜି

ରୂପର ଆଲୋକେ ଜାଗ ଯୌବନ ଆଜି !

ମରଣ ଯନ୍ତ୍ରେ ଦିଅ ହେ ଆଘାତ ହାଣି

ଛନ୍ଦେ ତାହାର ବାଜିଉଠୁ ତବ ବାଣୀ

ପ୍ରଦୋଷ ଉଷାର ରଙ୍ଗମହଲ କୋଳେ

ରୂପାୟିତ ହୋଇ କେତେ ଋତୁ ମାସ ଚଳେ

ସପତ ରଙ୍ଗେ ରଞ୍ଜିତ କରି ଧରା

ସପତ ସ୍ୱରରେ ସଙ୍ଗୀତ ହେଉ ଭରା

କୁସୁମ କୋରକ କହିଉଠୁ ସେହି କଥା

ଫଗୁଣ ସମୀରେ ବାଜୁ ଦୁଇଗୁଣ ବ୍ୟଥା ।

କୋଟିଏ ବିଶ୍ୱ ଗୋଟିଏ କଥାରେ ଟାଣି

ସତ୍ୟ ହେଉ ଏ ସଚେତନ ରୂପବାଣୀ ।

☆☆☆

 

ଭାରତ ଆସିବ ଫେରି

 

ଦୁନିଆ ଉପରେ ବଜାଇ ବିଜୟ ଭେରୀ

ଅନ୍ଧାର କୋଳୁଁ ଭାରତ ଆସିବ ଫେରି

ଆସିବ ଫେରି ସେ ନିଜ ଗଉରବେ

ଚକିତ ଧରାରେ ଚାହିଁବେ ସରବେ

ବିଶ୍ୱ ସଭାରେ ଆଦରେ ତାହାକୁ ବସିବେ ସକତେ ଘେରି

ଅନ୍ଧାର କୋଳୁଁ ଭାରତ ଆସିବ ଫେରି

ଫେରି ଆସିବରେ ପୁରାଣ ଭାରତ ମମ

ଉଠିବ ଘେନି ସେ ନବ ରୂପ ଅନୁପମ

ସବୁ କଳଙ୍କ ଦୂରେ ଯିବ ଖସି

ପୁରାତନ ମାଟି ଉଠିବରେ ହସି

ପରାଚୀର ଭାଲେ ଉକୁଟେ ଆଲୋକ,

ନାହିଁ ନାହିଁ ଆଉ ଡେରି

ଅନ୍ଧାର କୋଳୁଁ ଭାରତ ଆସିବ ଫେରି ।

ହଜିଛି ଯେ ଦେଶେ କେତେ କାଳୁ ନୋହେ କଳି

ସରିଛି ଶକତି ପଡ଼ିଛି ବିବେକ ଟଳି ।

ଆଜି ସେ ଭାରତ ପୁଣି ଟେକେ ମଥା

କଙ୍କାଳ ରାଶି କହିଉଠେ କଥା

ଆଗ୍ନେୟ ଗିରି ସମ ତା’ର ବ୍ୟଥା ବିଶ୍ୱେ ଉଠଇ ଜଳି

ହଜିଛି ଯେ ଦେଶ ଘେନି କେତେ ପ୍ରାଣବଳୀ !

ପାଇବାକୁ ଫେରି ଯୁଝିଲେ ଧରି ଯେ ଜିଦି

ତିଆଗିଲେ ତନୁ କେତେ ଅମୂଲ୍ୟ ନିଧି

ଅସ୍ତ୍ର ବିହୀନ ଶୂନ୍ୟ ହାତରେ

ପତାଇଲେ ଛାତି ଯେହୁ ଅକାତରେ

ବତାଇଲେ ଆମେ ବିନା କମାଣରେ ଟାଳିବୁ ପ୍ରାଚୀନ ବିଧି

ଢାଳିଦେଲେ ପ୍ରାଣ କେତେ ଅମୂଲ୍ୟ ନିଧି ।

କମାଣରୁ ବଳି ତତାଇଲେ ଯେହୁ ଛାତି

ମତାଇଲେ ଏହି ମରଣାପନ୍ନ ଜାତି

ଡାକିଲେ ଆସରେ ଆସ ମୋର ଦେଶ

ମୃତ୍ୟୁ ନୁହେଁ ତ ଜୀବନରେ ଶେଷ

ଜୀବନ ମରଣ ଲୁଚକାଳି ଖେଳେ ଖେଳିବା ଆସରେ ସାଥି

ଡାକିଲେ ଉଠରେ ମରଣାପନ୍ନ ଜାତି !

ଅସ୍ତ୍ର ଶକତି ଅସ୍ଥିର ଚିରଦିନ

କେବେ ସେ ଅଧିକ କେବେ ହୁଏ ଅବା ହୀନ

ମନର ଶକତି ପଡ଼ି ନାହିଁ ଭାଜି

ସେହି ଶକତିରେ ବଳୀୟାନ ଆଜି

ସେହି ସମ୍ପଦେ ଦୁର୍ଜୟ ଆଶା ଲଭି ଆଜି ନୋହୁ ଦୀନ

ଅସ୍ତ୍ରର ବଳ ଅସ୍ଥିର ଚିରଦିନ ।

ସେ ଶକତି ଆମ ଆହବେ ଅଜେୟ ବେଶ

ଜୀବନ ପଣରେ ଫେରାଇ ଆଣିବୁଁ ଦେଶ

ଧନୀ ଦରିଦ୍ର ଯେତେ ଆପାମର

ଫେରାଇ ଆଣିବୁଁ ଭାରତ ଆମର

ନତୁବା ଏ ହୀନ ପରାଣ କରିବୁଁ ଶେଷ

ଘେନୁଛୁଁ ଶପଥ ଜୀବନ ପଣରେ ଫେରାଇ ଆଣିବୁଁ ଦେଶ ।

☆☆☆

 

ଜୟପୁର ଘାଟି

 

ଯେତେ କଥା ଆଜି ହଜିଗଲା ମନ ଭିତରେ

ବିଚାରଇଁ ସବୁ ଗାଇଯିବ ଖାଲି ଗୀତରେ

ହୁଡ଼ିଗଲି କେତେ ହେଲି ବାଟ ବଣା

ରହିଗଲା ବହୁ ଅକୁହା ଅଜଣା

ଚମକିଲା ଛାତି କେତେ ଯେ ବରଷା ଶୀତରେ

ବିଚାରଇଁ ଆଜି ଗାଇଯିବି ସବୁ ଗୀତରେ । (୧)

 

ବୁଲିଗଲି କାହିଁ ବଣ-ପାହାଡ଼ର ରାଇଜେ

ମନେପଡ଼େ କେତେ ଆଉ କେତେ ମନେ ନାହିଁ ଯେ

ଜୟପୁର ମାଳ ପାହାଡ଼ ପାଚେରୀ

ରହିଥିଲା ମୋର ଚଉପାଶେ ବେଢ଼ି

ଦେଖି ସେ ବିରାଟ ରୂପ ଉଠିଥିଲା ଗାଇ ଯେ

ବୁଲିଗଲି କେଉଁ ବଣ ପାହାଡ଼ର ରାଇଜେ । (୨)

 

ଗିରିପରେ ପୁଣି ଉଠିଥିଲା ଗିରି ଲହରୀ

ଜଟିଳ ପଥରେ ମଟର ଚାଲଇ ପହଁରି

ତଳେ କାହିଁ ଧାଏଁ କୁଟିଳ ଝରଣା

ଚାହିଁଲେ ଚକିତ ହୁଏ କଳପନା

ଛାତି ଚିରି ତହିଁ ଗୀତ ଉଠିଥିଲା ମୋହରି

ଗିରି ପରେ ଗିରି ତଥି ପରେ ଗିରି ଲହରୀ ! (୩)

 

ଜାଗିଥିଲା ତହିଁ ସହସା ମୋ କବି-ପାଗଳ

ମାନସର ଶିଶୁ ନାଚିଥିଲା ଅତି ଚପଳ

ସେଇ ପାହାଡ଼ର ଚୂଳେ ହୋଇ ଠିଆ—

ଡାକିବାକୁ ମୋର ଲୋଡ଼ିଥିଲା ହିଆ

ଜଗତ ଭିତରେ ଅକୁହା ବାରତା ସକଳ

କୁଟିଳ ଘାଟିରେ ଉଠିଥିଲା ହୋଇ ବିକଳ । (୪)

 

ସେହି ଗିରିକୋଳେ ଲାଖିଲା ମନର ଦରଜ

ସେହି ଝରଣାରେ ଲୁଚିଲା ରାଗିଣୀ ମୁରୁଜ

କେତେ ବିଲ ବନେ ରହିଗଲା ଆଖି

ବିପୁଳ ଜୋଛନା ପରଶ ମୁଁ ଚାଖି

କେତେ ସକାଳେ ମୋ ଉଇଁଥିଲା ଶୁଭ ସୂରଯ

ସେହି ଘାଟି ପଥେ ଲୁଚିଲା ରାଗିଣୀ ମୂରଜ । (୫)

 

କେତେ ରୂପ ରସ ସାଇତି ରଖଇଁ ଚିତରେ

ଗାଇଦେବା ପାଇଁ ସବୁ କଥା ଦିନେ ଗୀତରେ

ଗାଇଦେବାପାଇଁ ଜୀବନ ଯାତନା

ଅପାସୋରା ସବୁ ସପନରଚନା

ମିଛ ଦୁନିଆରେ କହିବାକୁ ପଦେ ସତରେ

ମୁଦିଦେବା ପାଇଁ ଡୋଳା ଦୁଇ ଶେଷେ ଗୀତରେ । (୬)

☆☆☆

 

ଶତାବ୍ଦୀ-ସୈନିକ

 

ସିକ୍ତ କର ରିକ୍ତ ମାଟି ରକ୍ତ ଊର୍ମି ଉଠଇ ଉଜାଣି

ଚଳଇ ଧରଣୀ ପରେ ମରଣ-ନିର୍ଭୀକ

ଦୁପ୍ତପଦେ ଦୁନିଆର ଅନ୍ତନାଡ଼ି ଦନ୍ତେ ଦୃଢ଼େ ଟାଣି

ନାଚିଉଠେ ଶତାବ୍ଦୀର ଶୋଣିତ ସୈନିକ ।

ଊର୍ଦ୍ଧ୍ୱରେ କରାଳ ଧ୍ୱଂସ ଉଠେ ଗର୍ଜି ଅନ୍ଧକାର ଅମା

ବିଶ୍ୱଗ୍ରାସୀ କ୍ଷୁଧାମୁଖେ ଧାବଇ ରାକ୍ଷସ

ଚକ୍ଷୁରୁ ଛୁଟଇ ତା’ର ଶତ କୋଟି ଆଣବିକ ବୋମା

ଚଳେ ଚମୂ ନବ ଶତାବ୍ଦୀର ଅବତଂସ ।

ଜାପାନ, ଚାଏନା, ବ୍ରହ୍ମ, ଭାରତ ପାରସ୍ୟ ଆଫଗାନ,

ଆରବ, ତୁର୍କି, ଆଫ୍ରିକା, ରୁଷିଆ, ୟୁରୋପ,

ଅଷ୍ଟେଲିଆ, ଆମେରିକା, ମହାଦେଶେ ଉଡ଼ଇ ନିଶାଣ

କୁମେରୁ ସୁମେରୁ ବେଢ଼ି ଉଠେ ଭୂମିକମ୍ପ ।

ଧବଳ ହରିତ କୃଷ୍ଣ ବହୁ ବର୍ଣ୍ଣ ଚର୍ମ ବେଶବାସ

ବୌଦ୍ଧ ହିନ୍ଦୁ ମୁସଲମାନ ଶିଖ ବା ଖ୍ରୀଷ୍ଟାନ

ସଂଗ୍ରାମ ମାଗଇ ନମ୍ର ବିଦଳିତ ଧୂଳିତଳ ଘାସ

ଶତେକ ଶତାବ୍ଦୀପରେ ରଚେ ଅଭିଯାନ ।

ଅବିଚ୍ଛନ୍ନ ସୈନ୍ୟଶ୍ରେଣୀ ପାତାଳୁଁ ଉଠାଏ ଜୟସ୍ୱର

ଆକାଶ ମଥିତ କରେ ବିପ୍ଳବର ଦାବି

ସହସ୍ର ଭାଷାରେ ଲେଖେ ଏକ ପତ୍ରେ ଚରମ ସ୍ୱାକ୍ଷର

ଅଘଟ-ଘଟନା ପଟୁ ନବୀନ ଶତାବ୍ଦୀ ।

☆☆☆

 

ଜାଗ ଜାଗ ଗାନ୍ଧି !

 

ଉତ୍ତୁଙ୍ଗ, ତୁଷାରାବୃତ ଅଚଞ୍ଚଳ ଶୀତଳ ଅତିଳ

ଉପଶମ କରେ ଯେହୁ ବିଶ୍ୱର ବିରାଟ କାଳାନଳ

ହିମାଳୟ ଶୃଙ୍ଗ ସମ ଊର୍ଦ୍ଧ୍ୱେ ଅସୀମ ନୀଳିମା

ଉଭା ତୁମେ ଏଥି ତଥା ତିତିକ୍ଷାର ଶେଷ ସୀମା ।

ଉଭା ହେଲେ ହେ ମାନବ ! ଉଚ୍ଚତମ ଗିରିରୂପେ ଆଜି

ମୌସୁମୀ ସମାନ ଯହିଁ ଶତ ଯୁକ୍ତି ଲେଉଟଇ ବାଜି ।

କେତେ ବଜ୍ର କେତେ ଝଞ୍ଜା ଅଙ୍ଗେ ତବ କରିଛି ନିନାଦ

ଜଳ ହୋଇ ଫେରିଅଛି କେତେ ତର୍କ କେତେ ପ୍ରତିବାଦ

ପ୍ରାସାଦ-କୁଟୀର ଭେଦ ମମତାର ବନ୍ଧନରେ ବାନ୍ଧି

ସକଳ ସଂଘର୍ଷ ପରେ ଶାନ୍ତି ଢାଳି ଜାଗ ଜାଗ ଗାନ୍ଧି !

ଜାଗ ଜାଗ ଯୁଗେ ଯୁଗେ କହି ତବ କଲ୍ୟାଣ ବାରତା—

ଲଭିପାରେ ଶାନ୍ତି ଧରା ନ ଗଡ଼ାଇ ପୁଞ୍ଜିପତି ମଥା ।

ଶକତିର ସେବୀ ସୁଦ୍ଧା ଶୁଣିପାରେ ଯୁକତିର ବାଣୀ

ବଦଳାଇ ପାରେ ହୃଦ ମଥା ତା’ର ଲୋଡ଼ା ନାହିଁ ହାଣି

ମାଲିକ ଶ୍ରମିକ ପ୍ରଜା ନିଷ୍ପେଷିତ ଦୀନ ଧନବାନ

ବିନା ରକ୍ତେ ସମ୍ଭବଇ ସକଳ ଭେଦର ଅବସାନ !

କହ କହ ଆଉ ଥରେ ଶୁଣିବାକୁ ଉତ୍କର୍ଣ୍ଣା ଧରଣୀ

ଜ୍ୱଳନ୍ତ ତା’ କ୍ଷତ ପରେ ଲାଗୁ ତବ ବିଷଲ୍ୟକରଣୀ

ଶୁଣାଅ ଶୁଣାଅ ପୁଣି କିଏ ମିଥ୍ୟା କିଏ ପଥଭ୍ରାନ୍ତ

ହେ ଅଟଳ ସତ୍ୟସନ୍ଧ ! ହେ କଠୋର ସାଧକ ଅଶାନ୍ତି ।

ଜଡ଼ତାର ଅବସାଦ ପ୍ରାଣର ପ୍ରେରଣାଘାତେ ଘୂର୍ଣ୍ଣି

ଭାରତର ପଥେ ଆହେ ବେଗବାନ ଘୂର୍ଣ୍ଣି

ତୁମରି ବିଗ୍ରହେ ଶତ ଶତାବ୍ଦୀର ସଞ୍ଚିତ ବିଦ୍ୟୁତ

ଚମକାଇ ଦେଉ ବିଶ୍ୱ ପୁଣି ଥରେ ହୋଇ କକ୍ଷଚ୍ୟୁତ ।

ହେଲେହେଁ ପ୍ରାଚୀନତମ ତବ ସତ୍ୟ ହେଉ ପଛେ ଜୀର୍ଣ୍ଣ

ଆଣିଛି ସେ ଭୂମିକମ୍ପ ଧରଣୀକୁ କରିଛି ବିଦୀର୍ଣ୍ଣ

ଭାରତ ଗଗନ ପରେ ଶୁଭେ ସେହି ଅନାହତ ଧ୍ୱନି

ଶ୍ମଶାନର ଶବ କାନେ ଫୁଙ୍କିଦେଇ ମୃତ୍ୟୁ ସଞ୍ଜୀବନୀ ।

ସେହି ମନ୍ତ୍ରେ ପ୍ରକମ୍ପିତ ସ୍ପନ୍ଦନବିହୀନ କେତେ ଛାତି

ଚମକିବ ଅକସ୍ମାତ ଘୋଷି ଉଠି ଜାତି ! ଜାତି ! ଜାତି !

ମୂକ ମାନବର ମୁର୍ଖୁ ମୁଖରିତ ହେଉ ପୁଣି ଭାଷା

ଦଳିତର ପୀଡ଼ିତରେ ତେଜି ଦିଅ ଜ୍ୱଳନ୍ତ ପିପାସା !

କ୍ଷୁଧିତକୁ ଶିଖାଅ ହେ ଭାଗ୍ୟ ତା’ର ନୁହେଁ ଅନାହାର

ଅପର ନେଇଛି କାଢ଼ି ଜନ୍ମଗତ ସର୍ବ ଅଧିକାର ।

ବସ୍ତ୍ରହୀନେ ବତାଅ ହେ ନିଜ ହାତେ ନିର୍ମିବାକୁ ବସ୍ତ୍ର

ନିରସ୍ତ୍ରକୁ ଦିଅ ଆଣି ଅଦଭୁତ ଅହିଂସାର ଅସ୍ତ୍ର ।

ମରଣର ପଥ ଚାହିଁ ବସିରହେ ଯେତେ ଅସହାୟ

ଉଠୁ ସେ ସାହସଭରେ ପାଇବାକୁ ଫେରି ନିଜ ନ୍ୟାୟ

ଶ୍ରେଷ୍ଠତମ ମର୍ଯ୍ୟାଦା ହେ ଭାରତର ଗର୍ବ ଅଭିମାନ

ସକଳ ସମସ୍ୟା ଲାଗି ଦିଅ ଆଣି ନବ ସମାଧାନ

ଉଚ୍ଚାରିଲ ଯେଉଁ ମନ୍ତ୍ର ଉଚ୍ଚେ ତୋଳି କୋଟି ଅଭିଳାଷ

ଠୁଳ ହେଲା ତୁମ ତହିଁ ସହସ୍ର ବର୍ଷର ଇତିହାସ

ସେହି ମନ୍ତ୍ର ଜଗତରେ ଆଣିବ କଲ୍ୟାଣ ସ୍ରୋତ ବହି

ଲୋଡ଼ା ତୁମେ ଯୁଗେ ଯୁଗେ ଜାଗ ଜାଗ ଆହେ ସତ୍ୟାଗ୍ରହୀ !

☆☆☆

 

ରକ୍ତ-ସ୍ରୋତ

(ଗାନ୍ଧିଜୀଙ୍କ ହତ୍ୟା ଉପଲକ୍ଷରେ)

 

କେଉଁଠି ଝରିଲା ରକତ ସୁଅ ! କୁହରେ କୁହ !

କେଉଁ ମାଟିତଳ କଲା ସେ ଓଦା,

ନିର୍ମମ ଜାତି ! ପୋଛରେ ଲୁହ ।

ଲୁଚିଗଲା କିମ୍ପା ଧରଣୀ ଉପରୁ କାହାର ମୁହଁ

ନିର୍ଲଜ୍ଜ ଆରେ ନୀରବତା ଏଡ଼ି ବଚନ କୁହ !

କେଉଁ ମାଟିତଳ ଶୁଖିଲା ବାଲି ରୋଧିଲା ଚାଲି

କେଉଁ ପାଷାଣ ସେ ରକତ ଲୋଡ଼ିଲା ହେବାକୁ ନାଲି ।

କେଉଁଠାରୁ ଆଉ ନ ଚଳିଲା ପାଦ ରହିଲା ସ୍ଥିର

ହେ ମୋର ଦେଶର ପରମ ଯୋଦ୍ଧା ଯୁଧିଷ୍ଠିର ।

ତୋଳରେ ସେ ମାଟି ମାଆର ତିଳକି ଲଗାଅ ପଳେ

ଦେଖ ଦେଖ ଆଜି କାହାର ରୁଧିର ପଡ଼ିଲା ତଳେ ।

ପିଶାଚୀ ବସୁଧା କାହା ଲହୁ ଆଜି ପିଇଲା ବାଛି

ଗୁଣେ ତୀର ଯୋଖ ନବୀନ ଯୁଗର ସବ୍ୟସାଚୀ ।

‘‘ଯୁଦ୍ଧାୟ କୃତନିଶ୍ଚୟ, ଶୁଣ ଡାକ କେ ଦିଏ

ପ୍ରାଚୀନ ଗ୍ରନ୍ଥି ଛିଡ଼ିଗଲା ଏବେ ବିପ୍ଳବୀ ହେ !’’

ବିଶ୍ୱ ବିରାଟ ବକ୍ଷଥଳରେ ବାଜିଲା ଗୁଳି

ଖସିଲା ଉଲ୍‌କା ଜଳିଉଠେ ମହା ଚିତାର ଚୁଲି ।

ହିଂସାବିହୀନ ଶାନ୍ତି ଉପରେ ପଡ଼ିଲା ଦାଗ

ଦିଶେ ଦିଶେ ଆଜି ଚମକିଉଠିଲା ରକ୍ତରାଗ !

ସମାନ ହେବାକୁ ସାମାଜ ଏଣିକି ସହଜ ହେଲା

ରୂଧିରେ ବୋଳିଛ ହାତ ଯେହୁ ଆସ ହିନ୍ଦୁ ଚେଲା !

ଆସ ଭାରତର ପ୍ରାଚୀନପନ୍ଥୀ ଧର୍ମଧ୍ୱଜୀ

ଧର୍ମ ତୁମର ଦିଲ୍ଲୀ ଧୂଳିରେ ଗଲାଣି ହଜି

ଯେଉଁ ଧୂଳି ପରେ ଲୋଟାଇଲ ଦେହ ଅସ୍ଥିସାର

ଭାରତ ବକ୍ଷେ ଝରାଇଲ ଚିର ରକ୍ତଧାର

ସେ ରୁଧିର ଆଉ ରୋଧିବାକୁ କା’ର ଶକତି କୁହ

ଆରେ ନିର୍ଲଜ୍ଜ ନିର୍ମମ ଜାତି, ପୋଛରେ ଲୁହ !

☆☆☆

 

ଶୂନ୍ୟ ଚିନ୍ତା

 

ହେ ଶୂନ୍ୟ ହେ ମହା ଶୂନ୍ୟ !

ଆବରି ବିରାଟ ଏହି ବିଶ୍ୱ

କୋଟି ଗ୍ରହ ଉପଗ୍ରହ

ଖେଳାଉଛ ଯେହୁ ଦଶଦିଶ ।

ଅଗଣନ ଜୀବ ତହିଁ

ରେଣୁ ସମ ହୁଏ ଉଦେ ଲୀନ,

ଅସଂଖ୍ୟ ବନ୍ଧନ ଲଭେ

ଦୁଃଖ ସମ ଶତଧା ବିଦୀର୍ଣ୍ଣ

ଚିନ୍ତାହୀନ ଶୋକଶୂନ୍ୟ

ସୁଖ ସୌଭାଗ୍ୟର କୋଳାହଳ

କାହିଁ ଲୁଚେ ଅନ୍ଧକାରେ

କାହିଁ ହୁଏ ଆଲୋକେ ଉଜ୍ଜ୍ୱଳ ।

ଶତ କୋଟି ବିଶ୍ୱ କ୍ରୀଡ଼େ

ଅହରହ ଲୋମକୂପେ ତବ

ବିସ୍ତୃତି ନୁହଇ ବୁଝି

କଳ୍ପନା ଅତୀତ ଅବୟବ !

ଚିନ୍ତାର ବାହାରେ ତବ

ସତ୍ୟ-ରୂପ ଜନମାଏ ଭ୍ରମ,

କ୍ଷୁଦ୍ରତମ ସଙ୍ଗେ ଯହିଁ

ସମାନ ହୋଇଛି ବୃହତ୍ତମ ।

ସଂଖ୍ୟାର ଚରମ ତୁମେ

ଗଣକର ଗଣନାର ଶେଷ,

ଅଙ୍କର ଆଦିମ ଶୂନ୍ୟ

ଆଦିମୂଳ ବିଶ୍ୱର ବିଶେଷ ।

ପରମାଣୁ ସମ ମୁହିଁ

ପାଇଛି ଯେତିକି ଅଧିକାର

ତବ ଅଙ୍ଗେ, ମୋର ବୋଲି

ଯେଉଁ ସ୍ଥାନ ଅଛି କହିବାର ।

ଅସୀମ କାଳର ସ୍ରୋତେ

ମୋ ଜୀବନ-କାଳ ଯେତେ ସାନ

ହେଉ ପଚ୍ଛେ କ୍ଷୀଣତମ

କ୍ଷୁଦ୍ରତମ ବୁଦ୍‌ବୁଦ ସମାନ ।

କ୍ଷୁଦ୍ରତାର ଶୂନ୍ୟତାର

ବାଧା କାଟି ପୁଣି ସମୟର

ଲେଖିଯିବି କାଳବକ୍ଷେ

ମୋର ଏକ ଜୀବନ୍ତ ସ୍ୱାକ୍ଷର ।

ଯେଉଁ ଶୂନ୍ୟତାକୁ ଭେଦି

ରବିରଶ୍ମି ନ ପାରଇ ପଶି

କରିବ ଉଜ୍ଜ୍ୱଳ ତାହା ପରେ

ସଦା ଝରି ମୋର ମସୀ ।

ଲୁହାର କପାଟ ସମ

କାଟି ଦେଇ ବିଶ୍ୱର ବିଷାଦ

ଜଣାଇବି ଆଜି କୋଟି

ଶତାବ୍ଦୀ ସଞ୍ଚିତ ପ୍ରତିବାଦ

ନିରାକାର କୋଳେ ମୋର

ସାକାର ଜୀବନ ଯିବି ରଚି,

ନାହିଁ ମଧ୍ୟେ ଚିତ୍କାରିବି

ଅଛି ସବୁ ଅଛି ! ଅଛି ! ଅଛି !

☆☆☆

 

ଜାଗ୍ରତ ଆଘାତ

 

ଆଗାମୀ ଜୀବନ ପାଇଁ ତେଜି ଦିଏଁ

ଆଜିର ସକଳ ସୁଖ,

କାଲିର ମୁଖର ଭାଷା ପାଇଁ ଆଜି

ଶିଶୁ ସମ ରହେ ମୂକ ।

ବେଦନା-ତିମିର-ତୀରେ ନିରେଖିବା

ଲାଗି ସୁଖମୟ ଶିଶ

ଚେତନା-ଚକୋର ଚାହିଁ ରହୁ ଚିର

ଜାଗ୍ରତ-ରସେ ରସି ।

ମଧ୍ୟାହ୍ନ କୋଳେ ଜଳିଉଠେ ଯେବେ

ତୃଷାର-ହୁତାଶ-ଶିଖା

ତପତ ଆଖିରେ ନାଚିଉଠୁ ଦୂରେ

ତୃପ୍ତିର ମରୀଚିକା ।

ମଳିନ ଗୋଧୂଳି-ଲଗନେ ଉଦାସ

ମାନସ ନ ହେଉ ଭାଳି

ପରଦିନ ଉଷା-ପଥେ ଚାହିଁ ରହୁ

ଆଶାର ଜାଗର ଜାଳି

ଚାହିଁ ରହୁ ଚିର ସକଳ ବାସର

ସବୁ ଅଭିସାର-ଗତି

ଉଷା ପରଦୋଷ ଆଲୋକ ତାମସେ

ରବି ବେଦନାର ରତି ।

ଆଜିର କଠିଣ ଆଘାତ ପରାଣେ

ପ୍ରତି ନିମେଷର ସୁଖ-ପରଶନେ

ଦେଖାଦେଉ ବିପରୀତ ।

ପ୍ରତି ନିମେଷରେ ବାଜିଉଠୁ ଯେତେ

ଅତୀତର କ୍ଷତ ବାଣୀ

ଜାଗିଉଠୁ ଶତ ଅକୁରଣ ବ୍ୟଥା

ଗଭୀର ଆଘାତ ହାଣି ।

ବିସ୍ମୃତି ତଳେ ବୁଡ଼ିବାକୁ ଭୟେ

ଲୋଡ଼େ ଯେବେ ଭୀରୁ ମନ,

ବ୍ୟର୍ଥତା ଦେଉ ଚେତନା ପରଶ

ଆଣୁ ନବ ଜାଗରଣ ।

ଦୁଃଖ ଯାତନା ନ ହେଉ ଅଳୀକ

ତୁଟାଉ ମୋହର ପାଶ

ଦୃଷ୍ଟିକୁ କରୁ ଆବରଣହୀନ

ଦର୍ଶନ ପରକାଶ

ଜାଗ୍ରତ ସେହି ଦୃଷ୍ଟି ବିଲୋକୁ

ମେରୁ ସମ ବିଫଳତା

ବାସନା ବିକାରେ ଯମି ଉଠେ ଯେତେ

ମାନସର ଅବିଳତା

ଯମି ଉଠେ ଯେତେ ଆଖିର ବାଷ୍ପ

ଆଷାଢ଼ ଆକାଶ ସରି

ଜୀବନର ପରାଭବ ପଡ଼େ ଯେତେ

ସପନେ ଭୁଲିବା ପାଇଁ ଭୀରୁ ମନ

ଛଳନାର ଆବରଣ

ଖୋଜେ ଯେବେ, ତହିଁ ବାଜିଉଠୁ ସଦା

ଆଘାତର ଜାଗରଣ ।

☆☆☆

 

ତୁମେଟି ଚାଲିବା ଜାଣ

 

ଦୁନିଆ ଭିତରେ ତୁମେଟି ଚାଲିବା ଜାଣ

ସେ ଯେଉଁ ଆଘାତେ ଥରିଉଠେ ତବ ପ୍ରାଣ,

ବାଜେ ନାହିଁ ସେ ତ ପଶୁ ପକ୍ଷୀ ତରୁପରେ

ବାଜିଉଠେ ଯାହା ମଣିଷ କୁଡ଼ିଆ ଘରେ ।

ଦୁନିଆ ବୁକୁରେ ଜାଳିଦେଇ ହୁତାଶନ

ସେହି ସେ ଆଘାତ ବାଜିଉଠେ ଘନ ଘନ

ସେହି ସେ ଆଘାତ ବାଜଇ ଜନନୀ ବୁକେ

ଚାହିଁ ଅନାହର—ପୀଡ଼ିତ ତନୟ ମୁଖେ ।

ସେହି ସେ ଆଘାତ ତତାଇ ଦିଅଇ ଲହୁ,

‘ଏକ’ ଯେଉଁଠାରେ ମିଳାଇ ହୋଇଛି ‘ବହୁ’

ଚାଲିଅଛି ବେଗେ ନମାନି ଆଘାତ ବାଣ ।

ଦୁନିଆ ଭିତରେ ତୁମେଟି ଚାଲିବା ଜାଣ ।

(ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ

ବାସର ଉପଲକ୍ଷରେ ରଚିତ)

ମରମେ ବାଜିଛି ଜଗତଯାକର ବ୍ୟଥା,

ଫାଶୀକାଠ ପାଖେ ସିଧା ରଖିଅଛ ମଥା ।

ନଇଁବା କେମନ୍ତ କେବେ ତ ଶିଖିଲ ନାହିଁ:,

ଜାଣିଲ ନାହିଁ ତ ପଛକୁ କେସନ ଚାହିଁ,

ନ ବୁଝିଲ କିଆଁ ମଣିଷ ହୁଅଇ ଭୀତ

ରହିଲ ଅନୁଆଁ ଆମରଣ ଅବିନୀତ ।

ମଣିଷ ନ ମାରି ଜୀଇଁପାରେ ଏଥି ନର

ସେହି କଥା ତୁମେ କହିଲ ଥରକୁ ଥର ।

କହିଲ, ‘‘ଜାଗରେ ସକଳ ଆହତ ହତ

‘‘ଜାଗିଉଠ ଆରେ ଏ ଭବର ଭବିଷ୍ୟତ ।’’

ଦୀନବେଶ ଘେନି ଦୁଇ ହାତ କରି ଖାଲି

ଦୁନିଆ ଭିତରେ ତୁମେଟି ଜାଣିଲ ଚାଲି !

☆☆☆

 

ଜଡ଼-ଦର୍ଶନ

 

ମରଣ ଆସଇ ଲୁଚି ଚରଣ ଚଳାଇ ଧୀରେ,

ଫୁଙ୍କିଯାଏ ଜୀବନର ଦୀପ

ନ ଦେଖାଇ ରୂପ ତା’ର ନ ଜଣାଇ ଆଗମନ

ନ ଶୁଣାଇଁ କାହିଁ ପାଦଟିପ !

ଜଳିଉଠେ ବିଶ୍ୱକ୍ରୋଡ଼େ ପୁଣି କାହିଁ ଜୀବନର

ନବ ନବ କେତେ ଦୀପାବଳି

ରଜନୀ ଦିବସ ସମ ଜୀବନ ମରଣ ଖେଳ

ସହଜରେ ଯାଏ ସେ ଯେ ଚଳି ।

କି ଉଦ୍ଦେଶ୍ୟ ଏ ସୃଷ୍ଟିର କି

ସନ୍ଦେଶ କିବା ତା’ର ବାଣୀ

କି ଅମୂଲ୍ୟ ନିଧି ତୁଲେ

ଅବିଶ୍ରମ ଧାଇଁ ଚାଲେ ପ୍ରାଣୀ ।

ଲଭେ କିବା ଆସି ଏଥି କି ହଜାଏ,

ସେ ହିସାବ କାହିଁ ?

ଦେଖିବା ଶୁଣିବା ଯେତେ ରହେ ବାକି,

ଅନ୍ତ ତା’ର ନାହିଁ ।

ଅବୋଧ୍ୟ ଜୀବନ ପଥେ

ସମଦୁଃଖୀ ସାଥି ଅଗଣିତ,

ନାହିଁ ରୂପ ନାହିଁ ଚିହ୍ନ ! ସବୁ

ଆଜି ପାସୋରିବା ଗୀତ ।

ବେଳାର ବାଲୁକା ସମ ଜ୍ଞାନ

ରେଣୁ ଯାଏ କ୍ଷଣେ ଉଡ଼ି

ପଡ଼ିରହେ ବାକି ସବୁ ଚିରନ୍ତନ

ଜଡ଼ତା ଜାବୁଡ଼ି ।

ଯେତେ ରୂପ ଅବୟବ

ସୁବଠାରୁ ଦିଶେ ହୋଇ ବଡ଼

ରୂପାନ୍ତର ଘେନି କେତେ

ହୋଇଛି ସେ ଜଡ଼ ଖାଲି ଜଡ଼ !

ଯାଇଛି ମିଳାଇ କାହିଁ ଜଳେ

ଥଳେ ଆକାଶେ ଆଲୋକେ

କେବେ ସୁଖେ ହସି ଏଥି

ଲୁହ ଢାଳି କେବେ ମହା ଶୋକେ ।

ଚାଲିଥାଏ ସାଥିମେଳେ

ଜୀବନରେ ତଡ଼ିତ ପ୍ରବାହ,

ଯାଏ ନିଭି କାହିଁ ପୁଣି

ମଧ୍ୟାହ୍ନର ତୀବ୍ର, ବହ୍ନିଦାହ;

ବିଦାୟ ଘେନଇ ଶିଶୁ

ଜନନୀର କ୍ରୋଡ଼ୁଁ ହୋଇ ଛିନ୍ନ

ଯାଏ ରଖି ଧରାପରେ

ସୁକୋମଳ ତା’ର ପଦଚିହ୍ନ ।

ଅଗଣିତ ପଦଚିହ୍ନ ବକ୍ଷେ

ଧରି ଯେ କରେ ବିହାର

ଜଡ଼ ରୂପା ହେ ଧରିତ୍ରୀ !

ଘେନ ଏ ଜୀବର ନମସ୍କାର ।

ସମୟର ସୀମା ବାନ୍ଧି,

ଶତକୋଟି ଗ୍ରହ ଉପଗ୍ରହ

ଖେଳାଉଛ କୋଟି ବିଶ୍ୱ

ଲୋମକୂପେ ଯେହୁ ଅହରହ

ଉପହାସେ କର ଯେହୁ

ମାନବର କ୍ଷୁଦ୍ର ଆବିଷ୍କାର

ଜଡ଼ରୂପୀ ହେ ଆକାଶ

ଘେନା କର ମୋର ନମସ୍କାର ।

କୋଟି ଚନ୍ଦ୍ର ଗ୍ରହ ତାରା ଜଳି

ଉଠେ ଯେ ଆଲୋକ ଲାଗି

ଘନ ତମିସ୍ରାର କୋଳେ ଯେ

ଆଲୋକଧାରା ଉଠେ ଜାଗି

ଜଳେ ପୁଣି ସିନ୍ଧୁ ବକ୍ଷେ

ଗିରି ଚୂଳେ କାଳାନଳ ସମ !

ଜଡ଼ରୂପୀ ହେ ଅନଳ ଅଗ୍ନି

ତବ ପଦେ ନମୋନମ !

ଯୁଗ ଯୁଗ ଧରି ଗଢ଼ା

ସଭ୍ୟତାର ପ୍ରାସାଦ ମହତ

ମୁହୂର୍ତ୍ତେ ପାର ଯେ କରି

ରେଣୁ ସଙ୍ଗେ ସବୁ ପରିଣତ ।

ଧ୍ୱଂସର ଦୁନ୍ଦୁଭି ବାଇ

କବଳିତ କରି କୋଟି ପ୍ରାଣ

ଝଞ୍ଜା ଯୁଦ୍ଧ ଭୂମିକମ୍ପରୂପେ

କରି ଜିହ୍ୱା ଲେଲିହାନ ।

ହେ ଜଳ ପବନ ଅଗ୍ନି

ମୃତ୍ତିକା ଆକାଶ ମହାଭୂତ

ଯାହା ଘେନି ଧରେଁ ପ୍ରାଣ

ଯାହା ଛାଡ଼ି ଶେଷେ ହୁଏଁ ମୃତ,

ତୁମେ ମୋର ଆଦିଅନ୍ତ

ତୁମେ ମୋର ସବୁ ସାନ ବଡ଼

ତୁମେ ସତ୍ୟ ସନାତନ

ଜ୍ଞାନରୂପୀ ଜଡ଼ ଆହେ ଜଡ଼ ।

☆☆☆

 

ଅଗଣିତ ଆଗୁଆନ

 

ସଂଗ୍ରାମ ନିଶା ପିଇ

ସର୍ବହରାର ସୈନିକ ଆଜି ମାଟିରୁ ଉଠଇ ଜୀଇଁ

ଶୋଷକ ଭିତରେ ସରିଛି ଲଢ଼େଇ

ଆବର ରହିଛି ବାକି

ଶୋଷିତ ଉଠିଛି ଡାକି

ସବୁଠାରୁ ବଡ଼ ସେହି ଲଢ଼େଇର ଡାକ

ଜାପାନ ଚାଏନା ଇୟୁରୋପ ଘେରି ଉଠିଛି ଦୁନିଆଯାକ ?

ଧନଶାଳୀ ଆମେରିକା

ସେ ଡାକେ ପଡ଼ିଛି ଫିକା ।

ପୃଥିବୀ—ଗ୍ରହର କୁହାଟ ଉଠଇ

ସୌରଜଗତ ମଥି

ସବୁଠାରୁ ବଡ଼ ଫଉଜ ହୋଇଛି ରଥୀ !

ଆଣବିକ ବୋମାଠାରୁ ବଳି ବଳିୟାନ

ପଦନିକ୍ଷେପେ ପାହାଡ଼ ଲସଇ

ଅଗଣିତ ଆଗୁଆନ !

ସ୍ୱଦେଶ ବିଦେଶ ସୀମାରେଖା ନାହିଁ ମାନେ

ଚାଲିଛି ଚମକି କି ଭୀଷଣ ଅଭିଯାନେ !

ସବୁ ଜାତି ରୂପ ସବୁ ନରନାରୀ ଏକ

ସବୁ ଭାଷାଭାଷୀ ଗାଉଛି କେବଳ

ମଣିଷ ଜାତିର ଟେକ

ଲକ୍ଷ ଯୋଜନ-ବ୍ୟାପୀ

ଅଖଣ୍ଡ ଥାଟ ଚଳେ ଅବିଶ୍ରାମ ଦିଗ୍‌ବଳୟକୁ ମାପି

ଉଠେ ସାମଗାନ ଗୁରୁଗମ୍ଭୀର

ତୁଟେ ମସ୍‌ଜିଦ୍‌, ତୁଟେ ମନ୍ଦିର

ଆକାଶ ଫଟାଇ ଫୁଟେ ଆଗ୍ନେୟ ବାଣ

ପଦବିକ୍ଷେପେ ଧରଣୀ ଥରାଏ ଅଗଣିତ ଆଗୁଆନ ।

☆☆☆

 

ଆଶ୍ୱାସନା

 

ଭୁବନ ଭରି ଆଜି ପ୍ରେୟସୀ ମୋର ଚଳେ

ଭୁବନ ଭରି ସେ ଗୋ କାନ୍ଦେ ମୋ ବିରହରେ

ନୀଳ ଅଞ୍ଚଳେ ତା’ର ଖେଳେ ଆଲୋକ ଛାୟା

ଆବରି ଦଶଦିଶି ଦେଖାଏ ରୂପମାୟା

ରୂପସି ଉଠ ହସି

କେଉଁ ଗଗନେ ବସି

ଦେଖାଅ ରୂପମାୟା

ଏଯେ ଆଲୋକ ଛାୟା !

ଚଖାଇ ଯାଏ ସେ ଗୋ ତପତି-ହୀନ ଆଶା,

ରଖାଇ ଯାଏ ପ୍ରାଣେ ପ୍ରକାଶ-ହୀନ ଭାଷା,

ମରମେ ରହେ ମରି

ସଦା ଯେ ମରମରି

ତୃପତିହୀନ ଆଶା

ପ୍ରକାଶହୀନ ଭାଷା ।

ବଦନ ଲୁଚେ ତବ ନିଶାର ଅନ୍ଧକାରେ

ଅନ୍ତର କାନ୍ଦେ ମୋର ନିରାଟ ହାହାକାରେ

ଯାଏଁ ମୁଁ ଅପସରି

ଡାକିବି କାନି ଧରି

ନିଶାର ଅନ୍ଧକାରେ

ନିରାଟ ହାହାକାରେ

ତୁମକୁ ଭୁଲେଁ ଯେବେ ଜୀବନ ସାଧନାରେ

ପରାଣ ଜଳଇ ଯେ ବିଷମ ବେଦନାରେ,

ସକଳ ହତଶିରୀ

ମରମ ପୋଡ଼େ ଚିରି

ଜୀବନ ସାଧନାରେ

ବିଷମ ବେଦନାରେ

ରଖ ଗୋ ରଖ ମୋତେ ବାନ୍ଧି କୋମଳ ଭୁଜେ

ନ ଜାଣେ ତୁମ ବିନୁ ଆନ ପ୍ରେସୟୀ ମୁଁ ଯେ,

ବସନ୍ତ ଫୁଲବନେ

ପାହାନ୍ତିଆ ପବନେ

ବାନ୍ଧ କୋମଳ ଭୁଜେ

ନ ଜାଣେ ଆନ ମୁଁ ଯେ ।

ଆଷାଢ଼ ସନ୍ଧ୍ୟା ପଥେ ଉଦାସ ପ୍ରାଣ ମମ

ତୁମରି ଆଶେ ବଞ୍ଚେ ହେ ମୋର ପ୍ରିୟତମ

ପଉଷ ଶୀତ ନିଶି

ତୁମରି ଅଙ୍ଗେ ମିଶି

ଉଦାସ ପ୍ରାଣ ମମ

ହେ ମୋର ପ୍ରିୟତମ

ଚନ୍ଦନବୋଳି ଅଙ୍ଗେ ଆସ ହେ ବଇଶାଖେ

ଶରତ ପ୍ରଭାତରେ ନିରେଖି ମୋ ଗବାକ୍ଷେ

ଜପଇ ତବ ନାମ

ହୃଦୟେ ଅବିରାମ

ପ୍ରଦୋଷ ପ୍ରଭାତରେ

ଜପଇଁ ମୁଁ ଅନ୍ତରେ

ତଆଗି ଯିବି ସବୁ ତୁମରି ଲାଗି ସଖି

ତୁମରି ପଦେ ମୋର ଜୀବନ ପୂଜା ରଖି

ଜାଣେ ଗୋ ଜାଣେ ସହି

ଆଦର ସଦା ବହି

ତୋଳିବ ଧୂଳିତଳୁଁ ପରମ ପ୍ରୀତି ବଳୁଁ ।

☆☆☆

 

ବିଶ୍ୱର ଆହ୍ୱାନ

 

ସନ୍ଧ୍ୟା ରାଗିଣୀ ରକତ ରାଗରେ

ବଢ଼ିଛି ଏ ମୋର ବାସନା

(ତୁମେ) ଅଳତାର ରାଗ ଚରଣେ ଲେଖି ଗୋ

ଆସ ନା, ମୋ ପାଶେ ଆସ ନା ।

ମୁଁ ଯେ ବୁଝିଛି ଆକାଶ ବ୍ୟଥା

ଆଜି ଶୁଣିଛି ସିନ୍ଧୁ ବାରତା

ତୁମେ ଦିଗ୍‌ବଳୟର କଜଳ ରଞ୍ଜି ଗୋ

ନ ଆସ ସୁନୀଳବସନା

ଆଜି ବଢ଼ିଛି ପରା ମୋ ବାସନା

ତୁମେ କପାଳେ ନ ଦିଅ କଳା ଅଭର ଗୋ

ଅଧରେ ନ ଦିଅ ରକତ,

ଆଜି ପୁନିଅଁ ଚାନ୍ଦର ଦୋଳ ଉତ୍ସବରେ

ମୁଁ ପରା ହୋଇଛି ଭକତ ।

ତୁମେ ଦଶନେ ନ ଦିଅ ହାସ

କଳକଣ୍ଠେ ନାହିଁ ଭାଷ,

ଆଜି କେଉଁ ଭବିଷ୍ୟର କୁହୁତାନେ ମଜି

ମୁଁ ନ ମାନେ ପଥ ଅପଥ

ତୁମେ ଅଧରେ ନ ଦିଅ ରକତ

ଆଜି ମୋତେ ଛାଡ଼ି ମୁଁ ଯେ ଭୁବନେ ଆସିଛି

ପିଇଛି ସ୍ୱପନ-ସୁଧା

ଘର ଛାଡ଼ି ମୁଁ ଯେ ଘର କରିଅଛି

ମୁକତ ମହା ବସୁଧା

ପକ୍ଷୀଡାକେ ମୋତେ ବନେ

କେତେ ଡାକରା ଆସେ ପବନେ

କେତ ନିମନ୍ତ୍ରଣ ଭୁବନୁ ଆସିଛି

ମେଣ୍ଟାଇବି ପ୍ରାଣ କ୍ଷୁଧା

ମୁଁ ତ ପିଇଛି ସ୍ୱପନ ସୁଧା

ସନ୍ଧ୍ୟା ରହିଛି ମୋହରି ଆଶାରେ

ରଞ୍ଜାଇବି ତା’କପୋଳେ

ପ୍ରଭାତ ଡାକଇ ବିରହ ଭାଷାରେ

ମୋହରି ପାଇଁ ବିକଳ

କାନନେ ଡାକୁଛି ମୟୂରୀ

ନଦୀ ହୃଦେ ଡାକେ ଭଉଁରି,

ଶିଖରି ଚୂଳରେ ମେଘେ ଡାକିଲାଣି,

ଭୁବନେ ଡାକିଲେ ସକଳ,

ମୋହରି ପାଇଁ ସେ ବିକଳ

ଧାନ ଖେତ ପରେ ବଉଦ ଭାସୁଛି

ସେ ଚାହିଁଛି ମୋହ ଆଶାରେ,

ନୀଳ ଆକାଶରେ ଚାତକ ମିଶଇ

ମୋହରି ବିରହ ଦଶାରେ

ଚାନ୍ଦତଳେ କାନ୍ଦେ ଚକୋର,

ମୋହରି ବିରହେ କାତର,

ବରଷା ଆଗମେ ଡାହୁକ ଡାକିଲା

ମୋହରି ବିରହ ଭାଷାରେ,

ଆଜି ସରବେ ମୋହରି ଆଶରେ,

ଚକିତ ହରିଣୀ-ନୟନ ଚାହିଁଛି

ମୋହରି ମିଳନ ଆଶେ,

କୁସୁମ କଳିକା ମଉନେ ରହିଛି

ମୋହରି ବିରହ ପ୍ରାସେ,

ଦୂର ବିଦେଶରେ କେତେ ପ୍ରଣୟିନୀ

ମୋହ ବିରହରେ କରନ୍ତି ଦୟିନି

ମୋହ ବିରହରେ କେତେ ହତଶ୍ୱାସ

ମିଶିଛି ଆଜି ଆକାଶେ ।

ଆଜି ଉଦଭଦଳିଆ ଉଡ଼ିବ ବୋଲି ସେ

ମୋହ ପଥେ ଅଛି ଚାହିଁ

ପ୍ରଭାତ କୁକ୍କୁଟ କଣ୍ଠ ସଜାଡ଼ୁଛି

ସେ ପରା ମୋହରି ପାଇଁ ।

ପ୍ରବୋଧିବି ଏହି କପୋତ

ସାନ୍ତ୍ୱନା ହୋଇବ ପ୍ରାପତ,

ଝିଲ୍ଲୀ ଚିରଇ କାତର କାନ୍ଦଣା

ମୋ ବିନା ତାରକେ ନାହିଁ

ସେ ତ ମୋ ପଥେ ରହିଛି ଚାହିଁ ।

କଜଳପାତି ସେ ସ୍ୱାମୀ ସଙ୍ଗେ ତା’ର

କଳହେ ରହିଛି ମଗନ

ମେଣ୍ଟାଇବି ତାହା, ତୃଷିତ ଚାତକ—

ହାହାକାରେ ପୂରେ ଗଗନ ।

ବିରହୀ ଚକୋର ଦମ୍ପତି

ତାଙ୍କୁ ଦେବି ମୁଁ ମିଳନ ସମ୍ପତ୍ତି

ଭୁବନ ଚାହିଁଛି କାତରେ ତାକୁ ମୁଁ

ବିରଚିବି ଶୋଭା ସଦନ

ହାହାକାରେ ପୂରେ ଗଗନ ।

ନୟନର ଜଳ ପୋଚ୍ଛ ଗୋ ନୟନୁଁ

ବଦନେ ବିକାଶ ହାସ

ଭୁବନ ଡାକିଛି ପବନ ଡାକିଛି

ଚଳିବି ମୁଁ ପରବାସ

ମୋ ବିରହେ ପରା ତାରକା ଗହଳେ

ଆକାଶେ ନଇଁଛି ଧରଣୀର ତଳେ

ମୋ ବିରହେ ସତେ ସାଗର ବକ୍ଷରେ

ଲାଗିଛି ଚିର ପରାସ

ଆଜି ଚଳିବି ମୁଁ ପରବାସ ।

☆☆☆

 

ନିଜ ଭୁଲା

 

ସୁଦୂର ଗ୍ରାମ କାନନ ବିଲ

ଜୋଛନା ତଳେ ଭଜିଛି ଲୀନ

ଚେତନାହୀନ ପବନ ଆଜି

ପ୍ରଦୋଷ ପଥେ କି ଉଦାସୀନ !

ନୀରବ ପ୍ରୀତି ଲୁଚାଇ ପ୍ରାଣେ

ନଦୀଟି ବହେ କେତେ ସେ ବାଙ୍କେ,

ସଞ୍ଜ ଆଗମେ ନୀରବ ଧରା !

ପକ୍ଷୀଟି ନାହିଁ ଡାକଇ ଶାଖେ,

ସନ୍ଧ୍ୟାରେ ତାରା ଯାଇନି ନିଭି

ଜୋଛନାବୋଳା ଆକାଶେ ବସି

ନୀରବ ନଦୀ ଉପରେ ତା’ର

ବଦନ ଶୋଭା ଦେଖଇ ହସି !

ପାକଲା ଧାନେ ସୁଗନ୍ଧେ ଆଜି

ପୂରିଛି ବ୍ୟୋମ ପୂରିଛି ଧରା

ମୂକ ଧିଆନେ ତବଧି ସବୁ

ଭୁବନେ ଆଜି ନିଜ ପାସୋରା ।

ପାସୋରି ଦିଏ ନିଜକୁ ଶଶି

ନିଜକୁ ଭୁଲେ ଏ ବିଲ ଗ୍ରାମ

ନିଜକୁ ଭୁଲି ସଜଳ ନଦୀ

ଚଳେ ଅଜ୍ଞାତେ ନାହିଁ ବିଶ୍ରାମ ।

ନିଜକୁ ଭୁଲି ଏ ନଦୀତଟେ

ସୁଦୂର ଗ୍ରାମେ ରହେ ମୁଁ ଚାହିଁ,

ଲୁପତ ଧରା ଲୁପତ ବିଶ୍ୱ,

ବିଜନ ଏଥି କେହି କି ନାହିଁ !

କେବଳ ଏଥି ନାଚଇ ଶୂନ୍ୟ

ପରାଣ ତହିଁ ରହଇ ଲାଖି,

ଯେତେ ମୁଁ ଚାହେଁ ଜୋଛନା ପଥେ

ତୃପତି ମୋର ନ ମାନେ ଆଖି,

ଏ ଦେଶେ କାହୁଁ ଚିହ୍ନିଲ ତୁମେ

ସଦା ଯେ ତୁମେ ନିଜକୁ ଭୁଲ ?

କହ ଗୋ କାହୁଁ ଆସିଲ ଏଥି

ଚରଣ ତଳେ ଫୁଟାଇ ଫୁଲ ।

କପାଳେ ତବ ଶିଶିର ଚୁମେ,

ନୟନେ ଲାଗେ ସ୍ୱପନରାଶି,

ନିଜନ ଏହି ମଉନ ଦେଶେ

କହ ଗୋ କାହୁଁ ଅଇଲ ଭାସି ।

ନୟନ ଜଳେ ତମସାକୋଳେ

ପାହିଛି କେତେ ଶ୍ରାବଣ ରାତି

କେତେ ଫଗୁଣ ମଧୁର ଗନ୍ଧେ

ଉଲୁସି ମୋର ଉଠିଲା ଛାତି ।

ତୁମରି ଲାଗି ବାଇଛି ବୀଣା

ସଞ୍ଜ ସକାଳ ଦିବସ ମିଶି

ଗୋଧୂଳି କେବେ ମିଳାଏ ଧୀରେ

ପାହାନ୍ତି ବାଆ ସହିତେ ମିଶି ।

ବିକଳ ମୋର ଅନ୍ତର ବନ୍ଧୁ

ତୁମରି ଲାଗି କାନ୍ଦିଛି କେତେ

ହତାଶା ପରେ ହତାଶା ଘେନି

ନୂତନ ଆଶା ବାନ୍ଧିଛି କେତେ ।

ନ ଆସ ତହିଁ ନ ଦିଅ ଦେଖା

ବ୍ୟଥିତ ମୁହିଁ ଫେରଇଁ ଘରେ

ଅଭିମାନର ଲୋତକ ରାଶି

ନ ପଡ଼ି ତଳେ ନୟନେ ମରେ ।

ନ ଭୁଲି ପଥ କେସନ ପୁଣି

ଅଜଣା ଦେଶେ ଆସିଲ ଚାଲି

ଶୀତ ବରଷା ନ ମାନି ତୁମେ

ଏ କି ମଉନ ବେଶରେ ଖାଲି ।

ହେ ନିଜଭୁଲା ! କେସନ କହ

ନ ଭୁଲ ପଥ ବନ ରାଇଜେ ?

ଅନ୍ଧାରି ଏହି କଣ୍ଟକ ପଥେ

ଜନ ପରାଣୀ ନାହିଁ କାହିଁ ଯେ !

ଆସିଲ ଯେବେ କି ପାଇଁ ଦୂରେ ?

ମୁଁ ପରା ଅଛି ନିକଟେ ଅତି

ତୁମରି ପାଇଁ ରହିଛି ଚାହିଁ

ବିରହ-ବ୍ୟଥା ଟଳାଏ ମତି ।

କିପାଇଁ ଆସି ଯାଅ କିପାଇଁ

ନ କହ କିପାଁ ପଦେ ତ କଥା

କ୍ଷଣକେ ଚାହିଁ ଯାଅ ଉଭାଇ

ଚିରଦିନକୁ ଲଗାଇ ବ୍ୟଥା ।

☆☆☆

 

ଚାଷୀର ଭାଗ୍ୟ

 

ବରଷା ଆସିଲା, ଚଷା

କି ଭାବନା କରେ ବସି

ଚୁଲିରେ ପଶଇ ପାଣି

ଅଧେ ଚାଳ ପଡ଼େ ଖସି ।

ଘରଣୀ କଜିଆ କରି

ଆଜି ତାକୁ ପାଳି ଜର

ବରଷକ ପିଲାଟା ତ

କାଚ୍ଛୁ କଫେ ସଡ଼ ସଡ଼

ସବୁବେଳେ ଛଟପଟ

ଦିନ ରାତି କାଉଁ କାଉଁ

ଦେଇଛି ସକାଳେ ପେଇ

ଟୋପେ ତାକୁ ଚିନାଜାଉ

ଏ ବେଳାକୁ ନାହିଁ କିଛି,

ଶୁଖାଇ ଦେଲାଣି ମୁହଁ

କିଟି କିଟି କଳା ମେଘ

ବିଲରେ ପଡ଼ିଛି ସୁଅ ।

ଚଇତନ ଡାକିଥିଲା

ଆଜି ତା’ର ପାଲା ପୂଜା

କିଏ ଯିବ ପାଲା ଦେଖି

ଘରେ ନାହିଁ ଚୁଡ଼ାଭୁଜା !

ବିଲରେ ପଡ଼ିଛି ସୁଅ

ତିନିଦିନ ନାହିଁ ଚାଷ

ବାର ବରଷର ପୁଅ

ଭୋଗି ଭୋଗି ଧଇଁକାସ

ଭୋଗ ରାଗ କେତେ କ’ଣ

ଯାଚିଲା ତ ଦିଅଁ ଠାଇଁ

ଡାକି ଡାକି ଥକିଲା ତ

ନ ଶୁଣିଲେ କିଏ କାହିଁ

ଛିଡ଼ାଇ ଯାଇଛି ବାହା

ଶିଖିଥିଲା ସବୁ କାମ

ସବୁ ମିଛ, ରଖେ କିଏ ?

ହୋଇଲେ କରମ ବାମ ।

କିଣିଥିଲା ଛଡ଼ାଟିଏ

ପିଲାଏ ଖାଇବେ ଦୁଧ

ମହାଜନ ଦେଖି ତାହା

ତାଗଦା କରିଛି ସୁଧ !

ଜମିଦାର ପିଆଦାକୁ

ଆଠଣା ଦେଇଛି କାଲି

ଏ ବରଷ ଖଜଣାଟା

ସତାରିବ ମାସେ ଖାଲି !

ମାସେ ହେଲେ କାହୁଁ ଦେବ

ନାହିଁ ତା’ର ଭାବନା ତ

ଦେଖାଯିବ ଏହିନାଗେ

ଚକେ ଗଲେ ବାର ହାତ

ଧନୀ ସାଉ ଦୋକାନରୁ

ଦି’ଅଣା ହୋଇଛି ବାକି

ସେଥି ଲାଗି ଫୁସୁଲାଏ

ଦେବାପାଇଁ ମିଛ ସାକ୍ଷୀ

ମଣିଜେନା ମାମଲାରେ

ତାରିଖ ହୋଇଛି ତା’ର

କଟକ ଯିବାକୁ ହେବ

ଆସୁଛି ଯେ ଗୁରୁବାର !

କିଏ ପରା କରୁଥିଲେ

ହରିପୁର ହାଟେ ସଭା

ସବୁ ଖାଲି ଭେଦା ଭୋଟ

ପୂଜା ରିସିପତ ଅବା

ନିତି ଏହି କଉତୁକ

ଦେଖାଇ ଥରକୁ ଥର

ସେହିମିତ ଜର କଫ

ସେହି ତ କୁଡ଼ିଆ ଘର

ସେହି ତ ଖଜଣା ସୁଧ

ଆଗ ପରି ଚଢ଼ା ଦରେ

ନାହିଁ ଲାଭ କହି ଖାଲି

ଥିବ ଯାହା ବରାଦରେ !

ଆପଣା ବରାଦ ଆପେ

କରିବାକୁ ହେବ ଆଜି

ଗଲାଣି ସେ ବେଳ କାଳ

କରିବାକୁ ହାଁ ଜୀ ହାଁ ଜୀ !

କରିବାକୁ ହେବ ରଡ଼ି

ନାହିଁ ନାହିଁ ନାହିଁ ଯାହା

କରାମତି ଦେଖାଇବ

ଖାଲି ଘାସ କଟା ଦାଆ !

Image